Unknown

 

 

 

 

 

 

 

 

 

ଟିକି ମହାଭାରତ

ଗୋଦାବରୀଶ ମହାପାତ୍ର

 

ପୂର୍ବ କଥା

 

ଆଜିକି କେତେ ହଜାର ବର୍ଷ ହୋଇ ଗଲାଣି, ଆମ ଦେଶର ଉତ୍ତରକୁ ଗଙ୍ଗା ନଈ କୂଳରେ ହସ୍ତିନା ବୋଲି ଗୋଟିଏ ଅତି ସୂନ୍ଦର ସହର ଥିଲା । ସେଠାରେ ଦୁଷ୍ମନ୍ତ ବୋଲି ଜଣେ ଭାରି ବଡ଼ ରଜା ଥାନ୍ତି । ଥରେ ସେ ବଣରେ ପାରିଧି କରି ବୁଲୁ ବୁଲୁ ଶକୁନ୍ତଳା ବୋଲି ଗୋଟିଏ ଋଷି ଝିଅଙ୍କୁ ଦେଖିଲେ । ସେ ଝିଅଟି ବଡ଼ ସୁନ୍ଦର । ରଜା ତାଙ୍କୁ ବିଭା ହେଲେ । ତାଙ୍କର ଗୋଟିଏ ପୁଅ ହେଲା । ସେଇ ରଜା ତାଙ୍କୁ ବିଭା ହେଲେ । ତାଙ୍କର ଗୋଟିଏ ପୁଅ ହେଲା । ସେଇ ପୁଅଟିର ନାଁ ଭରତ ।

 

ବଡ଼ ହେଲାରୁ ଭରତ ରଜା ହେଲେ । ତାଙ୍କ ପରି ପାରିବାର ରଜା ଆମ ଏ ମୁଲକରେ ଆଉ କିଏ ନ ଥିଲେ । ସେ ଅନେକ ଦେଶ ଜିଣିଲେ, ମହାରାଜା ବୋଲାଇଲେ । ତାଙ୍କ ନାଁ ଚାରିଆଡ଼େ ବାଜିଲା । ସେଇ ଦିନୁ ତାଙ୍କ ନାଁରୁ ଆମ ଦେଶ ନାଁ ଭାରତବର୍ଷ ହୋଇଚି । ତାଙ୍କରି କୁଳରେ କୁରୁ ବୋଲି ଜଣେ ରାଜା ବାହାରିଲେ । ସେ ଭାରି ବୀର ଥିବାରୁ ତାଙ୍କ କୁଳ କୁରୁକୁଳ ବୋଲି ଖ୍ୟାତ ହେଲା । ତାଙ୍କର କୁଳ ଲୋକଙ୍କ କଥା ଲେଖା ହୋଇ ଯେଉଁ ପୋଥି ହୋଇଚି ତା ନାଁ ମହାଭାରତ ।

Image

 

ଦେବତାମାନେ ଶାପ ପାଇଲେ

 

ଦିନେ ସ୍ୱର୍ଗରେ ଦେବତାମାନେ ସଭା କରିଥିଲେ । ଭାରି ଉତ୍ସବ ଲାଗିଥିଲା । ସେ ସଭାକୁ ମହାଭିଷ ବୋଲି ମର୍ତ୍ତ୍ୟପୁରର ଜଣେ ଋଷି ଡକରା ପାଇ ଯାଇଥିଲେ । ସେ ଦିନ ଗଙ୍ଗାଦେବୀ ଅତି ସୁନ୍ଦର ବେଶଟିଏ ଧରି ସଭାରେ ବସିଥାନ୍ତି । ମହାଭିଷ ତାଙ୍କୁ ବିଭା ହେବାକୁ ବିଚାରି ଚାହିଁଦେଲେ । ଦେବତାମାନେ ତ ପରର ମନ କଥା ଜାଣି ପାରନ୍ତି, ମହାଭିଷଙ୍କ ମନ କଥା ତାଙ୍କୁ କିଛି ଭଲ ଲାଗିଲା ନାହିଁ । ସେମାନେ ତହୁଁ ସେ ଦୁହିଁଙ୍କି ଶାପ ଦେଲେ, ‘‘ତୁମେ ମର୍ତ୍ତ୍ୟକୁ ଯାଇ ମନୁଷ୍ୟ ହୁଏ ।’’ ଏହି ଶାପରେ ମହାଭିଷ ଋଷି କୁରୁକୁଳର ରଜା ପ୍ରତୀପଙ୍କର ପୁଅ ହୋଇ ଜନ୍ମ ହେଲେ । ତାଙ୍କ ନାଁ ଶାନ୍ତନୁ ହେଲା ।

ଏହି ସମୟରେ ଆଉ ଆଠ ଜଣ ଦେବତା ଶାପ ପାଇଲେ । ଏ ଆଠ ଜଣ ଆଠ ଭାଇ-। ଦିନେ ସମସ୍ତେ ସାଙ୍ଗ ହୋଇ ବୁଲୁ ବୁଲୁ ବଶିଷ୍ଠ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ । ମୁନି ସେ ଦିନ କୁଆଡ଼େ ଯାଇଥିଲେ । ଏମାନେ ନନ୍ଦିନୀ ବୋଲି ତାଙ୍କର ଗୋଟିଏ ଗାଈକି ଚୋରାଇ ଘେନି ଆଣିଲେ । ବଶିଷ୍ଠ ପଛେ ଆସି ସବୁ କଥା ଜାଣିପାରିଲେ । ରାଗରେ ତହୁଁ ସେ ଆଠ ଭାଇଙ୍କୁ ଶାପ ଦେଲେ, ‘‘ତୁମେ ଚୋରି କରି ପାପ କରିଚ, ତେଣୁ ସଂସାରରେ ମନୁଷ୍ୟ ହୋଇ ରହିବ ।’’

ଏ ଶାପ ପାଇ ଆଠ ଦେବତାଙ୍କ ଦେହ ଥରିଲା । ଏଥିରୁ ଉଦ୍ଧାର ପାଇବା ପାଇଁ ସେମାନେ ମୁନିଙ୍କ ପାଖେ ଆସି କାକୁତିମିନତି ହୋଇ ପ୍ରାର୍ଥନା କଲେ । ତାଙ୍କ ବିକଳ ଦେଖି ମୁନିଙ୍କର ଦୟା ହେଲା । କହିଲେ, ‘‘ମୋ କଥାତ ଆଉ ବୃଥା ଯିବ ନାହିଁ । ତୁମ ଭିତରେ ଦ୍ୟୁ ବୋଲି ଯେ ଅଛନ୍ତି ସେ ବଡ଼ ଦୋଷୀ । ସାତ ଭାଇ ନର ଜନ୍ମ ପାଇବା କ୍ଷଣି ସ୍ୱର୍ଗକୁ ଫେରିଯିବ । ମାତ୍ର ମନୁଷ୍ୟମାନେ ଯେତେ ଦିନ ଜିଅଁନ୍ତି ଦ୍ୟୁ ସେତେ ଦିନ ସଂସାର ଭୋଗ କରି ରହିବେ ।’’

ଆଠ ଭାଇ ଯାକ ସେଠୁ ଗଙ୍ଗା ଦେବୀଙ୍କ ପାଖକୁ ଗଲେ । ଗଙ୍ଗା ତାଙ୍କ ଦୁଃଖ ଶୁଣି କହିଲେ, ‘‘କୁରୁକୁଳର ପ୍ରତୀପ ରଜାଙ୍କ ପୁଅ ଶାନ୍ତନୁଙ୍କୁ ମୁଁ ବିଭା ହେବି । ତୁମେମାନେ ମୋ ପୁଅ ହେବ ।’’

 

ଏହାଶୁଣି ସେ ଦେବତାମାନେ ଖୁସି ହୋଇ ଫେରିଗଲେ ।

 

ଇମିତି କେତେ ଦିନ ଗଲା । ମହାଭିଷ ଋଷି ତ ଶାନ୍ତନୁ ହୋଇ କୁରୁକୁଳରେ ଜନ୍ମ ହୋଇଥାନ୍ତି, ସେ ଦିନେ ଏକୁଟିଆ ବୁଲୁ ବୁଲୁ ଗଙ୍ଗାଦେବୀ ତାଙ୍କ ଆଗେ ଦେଖା ଦେଲେ । ତାଙ୍କ ରୂପ ଦେଖି ମହାରାଜାଙ୍କ ଆଖି ଝଲସି ଗଲା । ଭାବିଲେ, ‘‘ୟାଙ୍କୁ ବିଭା ହେଲେ ମୁଁ କେଡ଼େ ସୁଖରେ ନ ରହନ୍ତି !’’ ଏ କଥା ବିଚାରି ସେ ତାଙ୍କ ପାଖକୁ ଗଲେ । ପଚାରିଲେ, ‘‘ତୁମେ କିଏ ? ଏ ବଣରେ ଏକୁଟିଆ କିଆଁ ବୁଲୁଚ ? ଚାଲ ଆମର ରାଣୀ ହେବ, ସୁଖରେ ନଅରରେ ରହିବ ।’’

 

ଗଙ୍ଗା ଦେବୀ ଏହା ଶୁଣି କହିଲେ, ‘‘ହେଉ, ଯିବି, ମାତ୍ର ମୋର ଗୋଟିଏ କଥା ରଖିଲେ ଯିବି । ମୁଁ ଯାହା କରୁଥିବି, ମତେ ଯେବେ ତୁମେ କିଛି ନକହିବ, ତେବେ ଯିବି । କ’ଣ ଯେବେ କହିବ, ପାଖରୁ ପଳାଇବି ।’’ ରଜା ଏଥିକି ମଙ୍ଗିଲାରୁ ଦୁହେଁ ରଥରେ ବସି ନଅରକୁ ଆସିଲେ । ନୂଆ ରାଣୀଙ୍କି ଧରି ରଜା ସୁଖରେ ରହିଲେ ।

 

ଏତେ ଦିନକେ ମହାଭିଷ ଆଉ ଗଙ୍ଗା ଦେବୀଙ୍କର ଶାପ ଫଳିଲା ।

Image

 

ଦେବବ୍ରତଙ୍କ ନାଁ ଭୀଷ୍ମ ହେଲା

 

ଶାନ୍ତନୁଙ୍କର ଗୋଟିଏ ପୁଅ ହେଲା । ପୁଅଟି ଜନ୍ମ ହେଲାକ୍ଷଣି ରାଣୀ ତାଙ୍କୁ ଗଙ୍ଗାରେ ନେଇ ପକାଇ ଦେଲେ । ରାଣୀ ରାଗରେ ପଳାଇବେ ବୋଲି ରଜା ତାଙ୍କୁ ଭୟେରେ କିଛି କହିଲେ ନାହିଁ ଇମିତି ଗୋଟି ଗୋଟି କରି ରାଣୀ ସାତ ପୁଅ ମାରିଲେ । ବାପ ଦେହ ଏଥିରେ ସହେ କେତେକେ ? ଯେତେବେଳେ ଆଉ ପୁଅଟିଏ ହେଲା, ତାକୁ ନ ମାରିବା ପାଇଁ ରଜା ରାଣୀଙ୍କି କହିଲେ । ଏ କଥା ଶୁଣି ସେ ପୁଅଟିକି ରଜାଙ୍କ କୋଡ଼ରେ ଦେଇ କହିଲେ, ‘‘ତୁମ ପୁଅକୁ ରଖ ! ତୁମେ ତୁମ ନିୟମ ଭାଙ୍ଗି ମୋତେ ମନା କଲ । ଏବେ ମୁଁ ମୋ ବାଟ ଦେଖୁଚି ।’’

ଗଙ୍ଗା ଦେବୀ ଗଲାବେଳେ ଆଠ ଦେବତା ଗାଈ ଚୋରେଇ ଶାପ ପାଇଥିବା କଥା ରାଜାଙ୍କୁ କହିଦେଇ ଗଲେ । କହିଲେ, ‘‘ଯେଉଁ ସାତ ପୁଅ ମଲେ ସେମାନେ ସିମିତି ବେଗେ ମରିବାକୁ ଶାପ ପାଇଥିଲେ । ଏଇ ପୁଅଟି ତମର ବେଶୀ ଦିନ ଜିଇଁବ ।’’

ଗଙ୍ଗାଙ୍କର ଏଇ ପୁଅଟି ନାଁ ଦେବବ୍ରତ । ଦେବବ୍ରତ ବଡ଼ ହୋଇ ନାନା ଗୁଣର ହେଲାରୁ ବାପ ତାଙ୍କୁ ଯୁବରାଜ କରାଇ ଦେଲେ । ଯୁବରାଜ ବୋଇଲେ ଯେଉଁମାନେ ବାପ ଥାଉ ଥାଉ ରଜା ହୋଇ ମୁଲକ ବୁଝାସୁଝା କରନ୍ତି । ଦେବବ୍ରତ ବଡ଼ ବୁଦ୍ଧିମନ୍ତ । ସେ ବାପଙ୍କୁ ଭାରି ଭକ୍ତି କରନ୍ତି । ତାଙ୍କ ବୁଝାମଣାରେ କିଛି ଦୋଷ ନ ଥାଏ ।

ଦିନେ ଶାନ୍ତନୁ ପାରଧିକି ଯାଇଥିଲେ । ବାଟରେ ଗଙ୍ଗା କୂଳରେ ଗୋଟିଏ ବାଳିକାକୁ ଦେଖିଲେ । ସେ ଏକ କେଉଟର ଝିଅ । ତା’ର ସୁନ୍ଦର ରୂପ ଦେଖି ଶାନ୍ତନୁ ତାକୁ ବିଭା ହେବାକୁ ମନ କଲେ । ତହୁଁ ତା’ ବାପକୁ ଯାଇ କହିଲେ, ‘‘ତୁମ ଝିଅକୁ ଆମେ ବିଭା ହେବାକୁ ଦିଅ ।’’

କେଉଟର ବଡ଼ ଭାଗ୍ୟର କଥା । ମହାରାଜା ତା’ ଜୋଇଁ ହେବେ, ସେ ମନା କରିବ କିମିତି ? ମାତ୍ର ଏତିକି ଜଣାକଲା, ଛାମୁଙ୍କର ବଡ଼ପୁଅ ଅଛନ୍ତି । ମୋ ଝିଅର ପୁଅ ହେଲେ ଯେବେ ସେ ରଜା ହେବ ବୋଲି କହିବ, ତେବେ ଦେବି ।’’ ରଜା ଏଥିକି କିଛି ଜବାବ ଦେଇ ପାରିଲେ ନାହିଁ-। ମନଦୁଃଖରେ ଫେରି ଆସିଲେ । ସେଇ ଦିନୁଁ ତାଙ୍କ ମନ ଆଉ କେଉଁଥିରେ ଭଲ ଲାଗିଲା ନାହିଁ ।

ଦେବବ୍ରତ ଏଣେ ବାପାଙ୍କ ମନ କଥା ଜାଣିପାରି କେଉଟ ଘରକୁ ଗଲେ । ତା’ ଝିଅକୁ ଦେବାକୁ କହିଲେ । କେଉଟ କହିଲା, ଛାମୁ ବଡ଼ ପୁଅ ଅଛ । ମୋର ନାତି ହେଲେ ତ ରଜା ହୋଇ ପାରିବ ନାହିଁ । ତେବେ କାହିଁକି ମୋ ଝିଅକୁ ଦେବି ?’’

ଦେବବ୍ରତ କେଉଟ କଥା ଶୁଣି କହିଲେ, ‘‘ମୁଁ ପ୍ରତିଜ୍ଞା କରୁଛି ଯେ, ମୁଁ କେବେ ରଜା ହେବି ନାହିଁ ।’’

କେଉଟ ପୁଣି କହିଲା, ‘‘ ଛାମୁ ସିନା ୟା କହିଲ, ଛାମୁଙ୍କ ପୁଅ ହେଲେ କ’ଣ ୟା ପାଳିବେ ?’’

ଦେବବ୍ରତ ସେଠୁ ଧର୍ମକୁ ସାକ୍ଷୀ ରଖି ଆଉ ଥରେ କହିଲେ, ‘‘ମୁଁ ଆଜିଠାରୁ ପ୍ରତିଜ୍ଞା କଲି, ମୁଁ କେବେ ବିଭା ହେବି ନାହିଁ ।’’

ଦେବବ୍ରତଙ୍କ କଥା ଶୁଣି କେଉଟର ମନ ମାନିଲା । ସେ ତା’ ଝିଅକୁ ଦେଲା । ଏଇ ଝିଅଟି ନାଁ ସତ୍ୟବତୀ । ଶାନ୍ତନୁ ଏହାକୁ ବିଭା ହେଲେ ।

ବାପଙ୍କ ସନ୍ତୋଷ ପାଇଁ ଦେବବ୍ରତ ଇମିତି ପ୍ରତିଜ୍ଞା କରିବାରୁ ସମସ୍ତେ ତାଙ୍କୁ ‘ସାବାସ୍‌’ କହିଲେ । ଆଉ, ଏ କଠିନ ପ୍ରତିଜ୍ଞା ଦେଖି ଲୋକେ ତାଙ୍କୁ ସେଇ ଦିନୁ ଭୀଷ୍ମ ବୋଲି ଡାକିଲେ । ବାପ ପୁଅକୁ ଆଶୀର୍ବାଦ କରି କହିଲେ, ‘‘ବାବୁ, ମୁଁ ବଡ଼ ସନ୍ତୁଷ୍ଟ ହେଲି । ମୁଁ ତତେ ଏଇ ବର ଦେଉଚି ଯେ ତୁ ତୋ ଇଚ୍ଛା ହେଲେ ମରିବୁ, ତତେ କିଏ ମାରି ପାରିବେ ନାହିଁ ।’’

Image

 

ଧୃତରାଷ୍ଟ୍ର, ପାଣ୍ତୁ ଓ ବିଦୁର ଜନ୍ମହେଲେ

 

ସତ୍ୟବତୀଙ୍କର ଯୋଡ଼ିଏ ପୁଅ ହେଲା ପରେ ଶାନ୍ତନୁ ମରି ଗଲେ । ମାତ୍ର ଏ ପୁଅ ଯୋଡ଼ିକ ବେଶୀ ଦିନ ଜିଇଁଲେ ନାହିଁ । ବଡ଼ ପୁଅ ଚିତ୍ରାଙ୍ଗଦ ଏକ ରଜା ସାଙ୍ଗେ ଯୁଦ୍ଧ କରି ମଲେ । ସେ ମଲାରୁ ତାଙ୍କ ସାନ ଭାଇ ବିଚିତ୍ରବୀର୍ଯ୍ୟ ଗାଦିରେ ବସିଲେ । କାଶୀ ରଜାଙ୍କ ଦୁଇଟି ଝିଅ ଅମ୍ବିକା ଓ ଅମ୍ବାଳିକାଙ୍କୁ ଭୀଷ୍ମ ଜବରଦସ୍ତିରେ ବିଭା-ସଭାରୁ ଘେନି ଆଣି ବିଚିତ୍ରବୀର୍ଯ୍ୟଙ୍କୁ ବିଭା କରାଇ ଦେଲେ । ମାତ୍ର ଦୈବ ଦୁର୍ଯୋଗକୁ ତାଙ୍କର ମଧ୍ୟ କିଛି ପୁଅ ଝିଅ ନ ହେଉଣୁ ସେ ମରିଗଲେ-। ସମସ୍ତେ ବିଚାରିଲେ, କୁରୁକୁଳ ବୁଡ଼ିଯିବ । କାହିଁକି ନା, ଗାଦିରେ ବସିବାକୁ ଆଉ କିଏ ପୁଅ ରହିଲେ ନାହିଁ । ଯେ ରହିଲେ ଭୀଷ୍ମ, ସେ ତ ରଜା ହେବେ ନାହିଁକି ବିଭା ହେବେ ନାହିଁ । ଏଥିକି ମା’ ସତ୍ୟବତୀଙ୍କର ଭାଳେଣି ପଡ଼ିଲା ।

 

ସତ୍ୟବତୀ ଶାନ୍ତନୁଙ୍କୁ ବିଭା ହେବା ଆଗରୁ ତାଙ୍କର ଗୋଟିଏ ପୁଅ ହୋଇଥିଲା । ଥରେ ପରାଶର ବୋଲି ଜଣେ ବଡ଼ ଋଷି ଗଙ୍ଗା ନଈ ପାରି ହେଲାବେଳେ ନାଆରେ ସତ୍ୟବତୀଙ୍କି ଦେଖିଲେ । ତାଙ୍କ ଆଶୀର୍ବାଦରୁ ସତ୍ୟବତୀଙ୍କର ଗୋଟିଏ ପୁଅ ହେଲା । ସେଇ ପୁଅଟିର ନାଁ ବ୍ୟାସଦେବ । ବାପଙ୍କ ପରି ବ୍ୟାସ ଜଣେ ବଡ଼ ଋଷି ହେଲେ ।

 

କୁରୁକୁଳ ରଖିବା ପାଇଁ ମା’ ସତ୍ୟବତୀ ବ୍ୟାସଙ୍କୁ ସ୍ମରଣ କଲେ । ଋଷିମାନେ ତ ପରର ମନ କଥା ଜାଣି ପାରନ୍ତି । ମା’ ଡାକିବାର ଜାଣିପାରି ସେ ଆସି ହସ୍ତିନାରେ ପହଞ୍ଚିଲେ । ମାଆଙ୍କ ବୋଲରେ ସେ ଅମ୍ବିକା, ଅମ୍ବାଳିକା ଆଉ ତାଙ୍କର ଗୋଟିଏ ଦାସୀକି ଆଶୀର୍ବାଦ ଓ ଅନୁଗ୍ରହ କଲେ-। ଅମ୍ବିକାଙ୍କର ଧୃତରାଷ୍ଟ୍ର, ଅମ୍ବାଳିକାଙ୍କର ପାଣ୍ତୁ ଏବଂ ଦାସୀର ବିଦୁର ବୋଲି ଏହିପରି ତିନୋଟି ପୁଅ ହେଲେ । ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ ।

Image

 

କୌରବ ଓ ପାଣ୍ତବ ମିଶି ଶହେ ପାଞ୍ଚ ଭାଇ

 

ଭୀଷ୍ମ ତ କୁଳକୁ ମୁରବି । ସେ ଏ ପିଲା ତିନୋଟିଙ୍କି ବାପ ପରି ଆଦରରେ ପାଳିଲେ, ଗୁରୁ ରଖି ପାଠ ପଢ଼ାଇଲେ; ତା’ପରେ ବଡ଼ ହେବାରୁ ବିଭା ଚୂଡ଼ା କରାଇ ଦେଲେ । ବଡ଼ ଭାଇ ଧୃତରାଷ୍ଟ୍ରତ ଜନ୍ମରୁ ଅନ୍ଧ ! ଅନ୍ଧ ଜଣେ ଆଉ ରାଜ୍ୟ ବୁଝା ସୁଝା କରି ପାରନ୍ତା କି ? ଭୀଷ୍ମ ସାନ ଭାଇ ପାଣ୍ତୁଙ୍କୁ ଗାଦିରେ ବସାଇ ରଜା କରାଇଲେ ।

 

ଧୃତରାଷ୍ଟ୍ର ଗାନ୍ଧାର ଦେଶ ରଜାଙ୍କ ଝିଅଙ୍କୁ ବିଭା ହେଲେ । ତାଙ୍କ ଭାର୍ଯ୍ୟାଙ୍କ ନାଁ ଗାନ୍ଧାରୀ-। ଶ୍ରୀକୃଷ୍ଣଙ୍କ ପିଉସୀ-ନାନୀ କୁନ୍ତୀ, ଆଉ ମଦ୍ରଦେଶ ରଜାଙ୍କ ଝିଅ ମାଦ୍ରୀଙ୍କି ପାଣ୍ତୁ ବିଭା ହେଲେ ।

 

ଗାନ୍ଧାରୀଙ୍କର ଶହେ ପୁଅ, ଗୋଟିଏ ଝିଅ ହେଲେ । ବଡ଼ ପୁଅ ନାଁ ଦୁର୍ଯ୍ୟାଧନ, ତାଙ୍କ ତଳକୁ ଦୁଃଶାସନ । ଦୁଃଶାସନ ତଳକୁ ଆଉରି ଅଠାନବେ ଭାଇ ଥିଲେ । କୁନ୍ତୀଙ୍କ ଠାରୁ ଯୁଧିଷ୍ଠିର, ଭୀମ, ଅର୍ଜୁନ ଆଉ ମାଦ୍ରୀଙ୍କ ଠାରୁ ନକୁଳ, ସହଦେବ–ଏପରି ପାଞ୍ଚ ପୁଅ ଜନ୍ମ ହୋଇଥିଲେ । କୁରୁବଂଶ ନାଁ ଅନୁସାରେ ଧୃତରାଷ୍ଟ୍ରଙ୍କ ପୁଅମାନଙ୍କ ନାଁ କୌରବ ହେଲା । ପାଣ୍ତୁଙ୍କ ନାଁରୁ ତାଙ୍କ ପୁଅମାନେ ପାଣ୍ତବ ବୋଲାଇଲେ ।

 

ପାଣ୍ତବମାନଙ୍କର ମା’ ସିନା କୁନ୍ତୀ ଆଉ ମାଦ୍ରୀ ଅଟନ୍ତି, ମାତ୍ର ସେମାନଙ୍କ ବାପ ଜଣେ ଜଣେ ଦେବତା । ଧର୍ମଦେବତାଙ୍କ ଠାରୁ ଯୁଧିଷ୍ଠିର, ପବନ ଦେବତାଙ୍କ ଠାରୁ ଭୀମ, ଇନ୍ଦ୍ରଙ୍କ ଠାରୁ ଅର୍ଜୁନ ଓ ଅଶ୍ୱିନୀକୁମାରଙ୍କ ଠାରୁ ନକୁଳ ଓ ସହଦେବ ଜନ୍ମ ହୋଇଥିଲେ । ଏଇ ପାଞ୍ଚ ଭାଇଯାକ ଦେବତାଙ୍କ ଅନୁଗ୍ରହରୁ ଗୋଟିଏ ଗୋଟିଏ ବିଷୟରେ ବଡ଼ ଥିଲେ ।

 

ପଞ୍ଚପାଣ୍ତବ ଜନ୍ମ ହେଲା ଉତ୍ତାରୁ ପାଣ୍ତୁ ମରିଗଲେ । ତାଙ୍କ ସାନ ରାଣୀ ମାଦ୍ରୀ ମଧ୍ୟ ନିଆଁରେ ପଶି ମଲେ । ଭୀଷ୍ମ ପାଣ୍ତୁଙ୍କ ପିଲାମାନଙ୍କୁ ଆଣି ପାଳିଲେ ।

Image

 

ଭାଇ ଭଗାରି ହେଲେ

 

କୁରୁପାଣ୍ତବ ଶହେ ପାଞ୍ଚ ଭାଇଙ୍କ ଭିତରେ ଯୁଧିଷ୍ଠିର ବଡ଼ । ତାଙ୍କର ଭଲ ଗୁଣ ଦେଖି ଲୋକେ ତାଙ୍କୁ ଭଲ ପାଉଥାନ୍ତି, ‘ସାବାସ୍’ କହୁଥାନ୍ତି । ହେଲେ, ଦୁର୍ଯ୍ୟୋଧନ ତ ବଡ଼ ଭାଇଙ୍କ ପୁଅ, ସେ ଏ ସବୁ ଦେଖି ସହି ପାରନ୍ତି ନାହିଁ । ତାଙ୍କ ମନ ‘ମତେ କାହିଁକି କିଏ ଭଲ କହୁ ନାହାନ୍ତି ?’ ଯେ ଭଲ, ସେ ଭଲ, ଦୁଷ୍ଟ ଖଣ୍ଟକୁ ଲୋକେ କିଆଁ ଭଲ ବୋଲିବେ ? ଦୁର୍ଯ୍ୟୋଧନ ପରର ସୁଖ ଦେଖିପାରନ୍ତି ନାହିଁ । ପାଣ୍ତବମାନଙ୍କୁ ଲୋକେ ଭଲ କହିବାରୁ ସେ ସବୁବେଳେ ତାଙ୍କୁ ହିଂସା କରୁଥାନ୍ତି ।

 

ଦୁର୍ଯ୍ୟୋଧନ ହେରିକା ପାଣ୍ତବମାନଙ୍କୁ ଭଲ ନ ପାଇବାର ଆଉ ଗୋଟିଏ କଥା ଥିଲା । ଭାଇମାନଙ୍କ ଭିତରେ ଭୀମ ସବୁଠୁ ବଳୁଆ । ଖେଳରେ ତାଙ୍କୁ କିଏ ହେଲେ ପାରନ୍ତି ନାହିଁ । ତାଙ୍କପରି ହେଞ୍ଜେଡ଼ା ପିଲା ଭାଇଙ୍କ ଭିତରେ ଆଉ କିଏ ନଥାନ୍ତି । ଖେଳିଲାବେଳେ ସେ ଦୁର୍ଯ୍ୟୋଧନଙ୍କ ଭାଇମାନଙ୍କୁ ନିର୍ଧୁମ୍‌ ମାରନ୍ତି । ପୁଞ୍ଜା ପୁଞ୍ଜା କରି ଘୋଷାରି ନେଇଯାନ୍ତି; ସେମାନେ ‘ଭେଁ’ ‘ଭେଁ’ କାନ୍ଦୁଥା’ନ୍ତି । ଗାଧୋଇଲାବେଳେ ପଞ୍ଝାଙ୍କ ଚୁଟି ଏକାଠି ଧରି ପାଣିରେ ବୁଡ଼ି ପଡ଼ନ୍ତି । ସେମାନେ ଆକତିଆ ହେଲାପରେ ଛାଡ଼ନ୍ତି । ପଞ୍ଝାଙ୍କୁ କୋଳି ଗଛରେ ଚଢ଼ାଇ ଗଛଟାକୁ ଏପରି ଭିଡ଼ରେ ଝାଙ୍କି ଦିଅନ୍ତି ଯେ, କୋଳି ସଙ୍ଗେ ସମସ୍ତେ ତଳେ କୁଢ଼େଇ ହୋଇ ପଡ଼ନ୍ତି । ସେମାନେ ପଡ଼ି କାନ୍ଦୁଥାନ୍ତି, ଏ ସୁଖରେ ସବୁ କୋଳି ଗୋଟେଇ ଖାନ୍ତି । ଏଇଥି ପାଇଁ ଭୀମକୁ ମାରିଦେବାକୁ ଦୁର୍ଯ୍ୟୋଧନ ସବୁବେଳେ ବାଟ ଖୋଜୁଥାନ୍ତି ।

 

ଥରେ ସେ ସବୁ ଭାଇଯାକୁ ଡାକି ଗଙ୍ଗାକୁ ଖେଳିବାକୁ ନେଲେ । ସେଠି ସଭିଏଁ ଖେଳିବା ଆଗରୁ ଖିଆପିଆ କଲେ । ଦୁର୍ଯ୍ୟୋଧନ ଆଗରୁ ବିଚାରି ଭୀମଙ୍କୁ ଦେବେ ବୋଲି ଗୋଟିଏ ବିଷ ଲଡ଼ୁ ନେଇ ଥାନ୍ତି । ସମସ୍ତେ ଯେତେବେଳେ ଖୁସିରେ ଖାଉଥିଲେ ଦୁର୍ଯ୍ୟୋଧନ ଆଦରରେ ସେ ଲଡ଼ୁଟିକି ଭୀମଙ୍କୁ ଖୋଇ ଦେଲେ । ଭୀମ ତ ଭାରି ପେଟୁ, ଏତେ ଛନ୍ଦ କପଟ ଜଣନ୍ତି ନାହିଁ, ଟାକୁକିନି ଗିଳିଦେଲେ ।

 

ଗିଳିଦେଲେ ସିନା, ସାଙ୍ଗେ ସାଙ୍ଗେ ଦେହରେ ବିଷ ଜରିଗଲା । ଦୁର୍ଯ୍ୟୋଧନ ତାଙ୍କ ଉପରେ ଖାଲି ନଜର ରଖିଥାନ୍ତି । ଯେତେବେଳେ ସେ ବିଷ ଜ୍ୱାଳାରେ ଅଚେତା ହୋଇ ପଡ଼ିଗଲେ, ଦୁର୍ଯ୍ୟୋଧନ ଧାଇଁ ଯାଇ ତାଙ୍କ ହାତ ଗୋଡ଼ ବାନ୍ଧି ନଈ ଗଣ୍ତକୁ ଗଡ଼େଇ ଦେଲେ । ମନେ ମନେ ଭାବିଲେ, ‘‘ଯାଆରେ ପୁଅ ଯାଆ, ଆଉ କଳି କରିବୁ ଯେ !’’

 

ଏଣେ ଖେଳ ସରିଲାରୁ ସମସ୍ତେ ଶୁଖିଲା ଲୁଗାପଟା ପିନ୍ଧି ଘରକୁ ଆସିଲେ । ଯୁଧିଷ୍ଠିର ହେରିକା ଭୀମକୁ ନ ଦେଖି କାନ୍ଦ କାନ୍ଦ ହୋଇ ଆସି ମାଆଙ୍କ ପାଖେ କହିଲେ । ପୁଅ ମଲା କି ହଜିଲା ବିଚାରି କୁନ୍ତୀ ଭୋ ଭୋ କାନ୍ଦିଲେ । କଥା ଶୁଣି ବିଦୁର ଆସି ପହଞ୍ଚିଲେ । ସେ ଭାରି ଭଲ ଲୋକ । କାହା ଅହିତରେ ନ ଥାନ୍ତି । ଆସି କୁନ୍ତୀଙ୍କି ତୁନି କରାଇ କହିଲେ, ‘‘ଋଷି ମତେ କହିଚନ୍ତି, ତୁମ ପୁଅମାନଙ୍କର କିଏ କିଛି ହେଲେ କରିପାରିବେ ନାହିଁ । ତୁମେ କାନ୍ଦୁଚ କାହିଁକି ?’’ ତାଙ୍କ କଥା ଶୁଣି କୁନ୍ତୀ ତୁନି ହେଲେ ।

 

ତେଣେ ଭୀମ ପାଣିରେ ପଡ଼ି ପାତାଳରେ ଯାଇ ପଡ଼ିଲେ । ପାତାଳରେ ତ ନାଗ ରଜା; ମନୁଷ୍ୟ ପିଲାଟିକୁ ଦେଖି ସାପମାନେ ଆସି କାମୁଡ଼ିଲେ । ସାପ କାମୁଡ଼ିଲେ ମନୁଷ୍ୟ ମରିଯିବା କଥା । ମାତ୍ର ଅରକ୍ଷିତକୁ ଦଇବ ସାହା । ଭୀମ ଯେଉଁ ବିଷ ଖାଇଥିଲେ ସାପବିଷ ବାଜିବାରୁ ସେହି ବିଷ କୁଆଡ଼େ ଉଡ଼ିଗଲା । ଭୀମ ଆଖି ଫିଟାଇ ଦେଖନ୍ତି ତ ସେ ଆସି ପାତାଳରେ ପହଞ୍ଚିଛନ୍ତି । ସାପମାନେ ତାଙ୍କୁ କାମୁଡ଼ିବାରୁ ସେ ରାଗରେ ସେମାନଙ୍କୁ ଗୋଡ଼ାଇ କରି ମାରିଲେ । ସେମାନେ ଭୟରେ ପଳାଇଯାଇ ସାପରଜା-ବାସୁକୀ ଆଗେ ଜଣା କଲେ, ‘‘ଗୋଟିଏ ମନୁଷ୍ୟ ପିଲା ଆସି ଆମକୁ ମାରୁଚି।’’ ବାସୁକୀ ରାଗରେ ଆସିଲେ ।

 

ଦୈବକୁ କ’ଣ ହୋଇଚି ନା, ଲେଖାରେ ଭୀମ ବାସୁକୀଙ୍କ ପଣନାତି । ସେ ଆଉ ରାଗ କରିବେ କ’ଣ? ଦେଖିଲା କ୍ଷଣି ଆଦରରେ ଭୀମକୁ କୋଡ଼କୁ ନେଇଗଲେ । ଆଉ ସାପମାନେ ଭାରି ଖୁସି ହେଲେ । ପାତାଳରେ ଅମୃତ ଥାଏ । ନାତିର ବଳ ବଢ଼ିବ ବୋଲି ବାସୁକୀ ଭୀମଙ୍କୁ କହିଲେ, ‘‘ପିଅ ବାବୁ, ଯେତେ ପିଉବୁ ପିଇ ତୋହର ବଳ ହେବ ।’’

 

ଭୀମ ତ ବିଷ ଜ୍ୱାଳାରେ ଶୋଷେଇ ଥିଲେ; ଲଗାଇଲେ ମୁହଁ ଯେ କୁଣ୍ତ କୁଣ୍ତ କରି ଆଠ କୁଣ୍ତ ଅମୃତ ପିଇଦେଲେ । ସେଠୁ ଯାଇ ଅଜାଙ୍କ ଉଆାସରେ ନିଘୋଡ଼ ନିଦରେ ଶୋଇଲେ । ଆଠଦିନ ଉତ୍ତାରୁ ତାଙ୍କ ନିଦ ଭାଜିଲା । ଉଠି ଆଉଥରେ ଅଜା ଘରେ ପିଠାପଣା ଗ୍ରାସେ ଖାଇଲେ-। ନାଗମାନେ ତାଙ୍କୁ ବାଟ ଦେଖାଇ ଗଙ୍ଗାକୂଳରେ ଆସି ଛାଡ଼ି ଦେଇ ଗଲେ ।

 

ଅମୃତ ପିଇ ତ ଭୀମଙ୍କ ବଳ ହୋଇଥିଲା, ଡେଇଁ ଡେଇଁ ଆସି ଘରେ ପହଞ୍ଚିଲେ । କୁନ୍ତୀ ପୁଅକୁ ସନ୍ତୋଷରେ କୁଣ୍ଢାଇ ପକାଇଲେ । ଭାଇମାନେ ଭାରି ଖୁସି ହେଲେ । ଭୀମ ସମସ୍ତଙ୍କ ଆଗେ ଦୁର୍ଯ୍ୟୋଧନ ବିଷ ଦେବା କଥା କହିଦେଲେ । ମାତ୍ର ସେ କଥା ଆଉ କିଏ ଜାଣିଲେ ଚହଳ ପଡ଼ିବ, ଅନିଷ୍ଟ ହେବ ବୋଲି କାହାକୁ ନ କହିବାକୁ ଯୁଧିଷ୍ଠିର ଭାଇମାନଙ୍କୁ ମନା କରି ଦେଲେ ।

 

ତେଣେ ଦୁର୍ଯ୍ୟୋଧନ ଭୀମ ଜିଇଁ କରି ଫେରି ଆସିବା ଜାଣି ମନେ ମନେ ଆଉରି ହିଂସା କଲେ ।

Image

 

ଦ୍ରୋଣାଚାର୍ଯ୍ୟଙ୍କ କଥା

 

ଭରଦ୍ୱାଜ ଋଷିଙ୍କର ଦ୍ରୋଣ ବୋଲି ଗୋଟିଏ ପୁଅ ହେଲା । ଦ୍ରୋଣ ପିଲାଦିନୁ ଭାରି ବୁଦ୍ଧିଆ । ସେ ବାପାଙ୍କ ପାଖରୁ ଅନେକ ପାଠ ପଢ଼ିଲେ, ଆଉ ପର୍ଶୁରାମଙ୍କଠାରୁ ଯାଇ ଧନୁର୍ବିଦ୍ୟା ଶିଖିଲେ । ପଞ୍ଚାଳ ଦେଶ ରାଜାଙ୍କ ପୁଅ ଦ୍ରୁପଦ ପିଲାଦିନେ ଦ୍ରୋଣଙ୍କ ସଙ୍ଗେ ପାଠ ପଢ଼ୁଥାନ୍ତି । ଥରେ ସେ ଦ୍ରୋଣଙ୍କୁ କହିଲେ, ‘‘ଜାଣିଲ ସାଙ୍ଗ, ମୁଁ ଯେତେବେଳେ ରଜା ହେବି ତୁମର ପଇସାପତ୍ରର କିଛି ଅଭାବ ରହିବ ନାହିଁ; ଗଲେ ଦେବି ।’’ ପିଲା ଦିନର ଏ କଥାଟି ଦ୍ରୋଣଙ୍କର ମନେଥାଏ ।

 

ଦ୍ରୋଣଙ୍କର ବୟସ ହେଲା । ସେ ବିଭା ହେଲେ, ମାତ୍ର ବଡ଼ ଗରିବ ହୋଇଗଲେ । ତାଙ୍କର ପୁଅଟିର ଜନ୍ମ ହେଲା । ସେହି ପୁଅଟି ନାଁ ଅଶ୍ୱତ୍ଥାମା । ଅଶ୍ୱତ୍ଥାମାଙ୍କୁ ଦୁଧ ଟିକିଏ ଦେବା ପାଇଁ ଘରେ ଗାଈଟିଏ ନଥାଏ । ସେତେବେଳେକୁ ଦ୍ରୁପଦ ରଜା ହୋଇଥାନ୍ତି । ଦ୍ରୋଣଙ୍କର ପିଲା ଦିନ କଥା ମନେପଡ଼ିଲା । ସେ ତହୁଁ ଦ୍ରୁପଦଙ୍କୁ ଗାଈଟିଏ ମାଗିବାପାଇଁ ପୁଅ ମାଇପଙ୍କୁ ଧରି ପଞ୍ଚାଳ ଗଲେ । ଗରିବ କପାଳରେ ତ ସବୁ ଦୁଃଖ ଲେଖା; ଏ ଯିମିତି ଯାଇ ଦ୍ରୁପଦଙ୍କୁ ‘‘ସାଙ୍ଗ’’ ବୋଲି ଡାକିଲେ, ଦ୍ରୁପଦ ରାଗିଯାଇ ଖତେଇ ହେଲା ପରି କହିଲେ, ‘‘ଆହେ ଦେଖ ହେ, କୁଆଡ଼ୁ ଗରିବ ବ୍ରାହ୍ମୁଣଟିଏ ଆସି କହୁଚି ରଜାଙ୍କ ସାଙ୍ଗ ।’’ ଦ୍ରୋଣ ସେଠୁ ଦୁଃଖରେ ପଳାଇ ଅଇଲେ । ଆସି ଜିଦ୍‌କଲେ, ‘‘ୟାକୁ ଶାସ୍ତି ନ ଦେଲେ ଏ ବ୍ରାହ୍ମଣ ଟୋକାର ରାଗ ଯିବ ନାହିଁ । ’’

 

ଏମିତି କେତେ ଦିନ ଗଲା । ଦ୍ରୋଣ ଦିନେ ହସ୍ତିନା ବାଟେ କୁଆଡ଼େ ଯାଉ ଯାଉ ଦେଖିଲେ, କୁରୁ ପାଣ୍ତବ ଭାଇମାନେ ଗୋଟେ ଲୁହା ପେଣ୍ତୁ କୁଅରେ ପକାଇ ଆଉ କାଢ଼ି ପାରୁ ନାହାନ୍ତି । ଏ ସେଠାକୁ ଯାଇ ପିଲାମାନେ କହିବାରୁ ଶର ଉପରେ ଶର ମାରି ମାରି ପେଣ୍ତୁଟିକି ଉପରକୁ କାଢ଼ି ଆଣିଲେ । ପିଲାମାନେ ଦେଖି ଭାରି ଆଶ୍ଚର୍ଯ୍ୟ ହୋଇଗଲେ । ଏକଥା ଯାଇ ଭୀଷ୍ମଙ୍କୁ କହିଲେ । ଭୀଷ୍ମ ଜାଣିପାରିଲେ ଯେ ଏ ନିଶ୍ଚୟ ଦ୍ରୋଣଙ୍କ କାର୍ଯ୍ୟ । ସେ ଦ୍ରୋଣଙ୍କୁ ଉଆସକୁ ଡକାଇ ନେଲେ, କୁରୁ ପାଣ୍ତବ ଭାଇମାନଙ୍କର ଗୁରୁ କରାଇ ରଖିଲେ । ସବୁ ପିଲେ ତାଙ୍କ ପାଖେ ପାଠ ପଢ଼ିଲେ, ଧନୁର୍ବିଦ୍ୟା ଶିଖିଲେ ।

Image

 

ଯୁଦ୍ଧ ଖେଳ ଦେଖା ହେଲା

 

ଦ୍ରୋଣ ରଜାପୁଅମାନଙ୍କର ଗୁରୁ ହେବାରୁ ପିଲାଏ ଭାରି ଚାଲାକ ହେଲେ, ନାନା କଥା ଶିଖିଲେ । ନାନା ଦେଶରୁ ଆଉ କେତେ ରଜାପୁଅ ଆସି ତାଙ୍କ ପାଖେ ପଢ଼ା ଆରମ୍ଭ କଲେ । ସମସ୍ତଙ୍କଠାରୁ ଅର୍ଜୁନ ଧନୁ ବିଦ୍ୟା, ଭୀମ ଗଦା ଖେଳ ଭଲ ଶିଖିଲେ । ଦୁର୍ଯ୍ୟୋଧନ ଗଦା ଖେଳନ୍ତି; ହେଲେ, ଭୀମଙ୍କ ପରି ନୁହନ୍ତି ।

 

ଦ୍ରୋଣ ସବୁ ଶିଖାଇ ସାରିଲାରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ବିଚାରିଲେ । ଏଥିପାଇଁ ଏକ ବଡ଼ ପଡ଼ିଆ ସଜ୍ଜା ହେଲା । ପଡ଼ିଆ ଚାରିପାଖେ ଘର ତୋଳା ହେଲା । ଅନେକ ଆଡ଼ୁ ରଜା ପ୍ରଜା ଆସି ଖେଳ ଦେଖିବାକୁ ଜମା ହେଲେ । ପରୀକ୍ଷା ଦିନ ବାଇଦ ବାଜଣାରେ ଖେଳପଡ଼ିଆ ଉଛୁଳିଲା । ଚାରି ପାଖେ ଦେଖଣାହାରିଏ ଜମା ହୋଇ ଥାନ୍ତି, ବୁଢ଼ାଗୁରୁ ଦ୍ରୋଣ ପାଚିଲା ଦାଢ଼ି ଲମ୍ବାଇ, ଚିତା ପଇତା ଘେନି ଶିଷ୍ୟଙ୍କୁ ଧରି ଆସି ମଝିରେ ପହଞ୍ଚିଲେ । ଜଣକୁ ଜଣ ସେ ଆଗକୁ ଛାଡ଼ୁଥାନ୍ତି । ସମସ୍ତେ ନିଜ ନିଜର ବଳ କୌଶଳ ଦେଖାଉ ଥାନ୍ତି । ଲୋକେ କେତେବେଳେ ‘ସାବାସ୍‌’ ‘ସାବାସ୍‌’ କହୁଥାନ୍ତି ।

 

ମଝିରେ ଭୀମ ଆଉ ଦୁର୍ଯ୍ୟୋଧନଙ୍କ ଗଦା ଯୁଦ୍ଧ ଲାଗିଲା । ସେ ଖେଳ ଦେଖି ଲୋକଙ୍କର ଆଖି ବୁଜି ହୋଇଗଲା । ଆଷାଢ଼ ମାସର ମେଘ ଗର୍ଜ୍ଜନ ପରି ସେମାନେ ପାଟି କରୁଥାନ୍ତି, ଆଉ ବଜ୍ର ପଡ଼ିଲା ପରି ଗଦା ବାଡ଼ଉ ଥାନ୍ତି ।

 

ଶେଷକୁ ଅର୍ଜୁନ ଆସିଲେ । ସେ ନାନା ବାଣ ଖେଳ ଦେଖାଇଲେ । ବାଣ ମାରି ସେ ନିଆଁ ଜଳାଇଲେ, ମେଘ ବରଷାଇଲେ, ପବନ ବୁହାଇଲେ । ଲୋକେ ତା’ ଦେଖି ତାଟକା ହୋଇଗଲେ । କହିଲେ ‘‘ସାବାସ୍‌ ଅର୍ଜୁନ ସାବାସ୍‌ ।’’

 

ଅର୍ଜୁନଙ୍କ ପ୍ରଶଂସା ଶୁଣି କର୍ଣ୍ଣଙ୍କ ଦେହ ସହିଲା ନାହିଁ । ସେ ହେଉଚନ୍ତି ଧର୍ମରେ ପାଣ୍ଡବଙ୍କ ବଡ଼ ଭାଇ । କୁନ୍ତୀ ପିଲା ଥିଲାବେଳେ ସୂର୍ଯ୍ୟଙ୍କ ଅନୁଗ୍ରହରୁ ତାଙ୍କର ଗୋଟିଏ ପୁଅ ହୋଇଥିଲା । ସେ ତାକୁ ନଈରେ ଭସାଇ ଦେଇଥିଲେ । ଜଣେ ରଥ ଚଳାଇବା ଲୋକ ପିଲାଟିକୁ ପାଇ ଆପଣା ପୁଅ ପରି ପାଳିଲା । ସେଇ ପିଲାଟି ନାଁ କର୍ଣ୍ଣ ହେଲା । କର୍ଣ୍ଣ ଅର୍ଜୁନଙ୍କ ପରି ଭାରି ବଳୁଆ, ଆଉ ସୁନ୍ଦର । ଦ୍ରୋଣଙ୍କ ପାଖେ ସେ ପାଠ ପଢ଼ୁଥିଲେ । ମାତ୍ର ଦୁର୍ଯ୍ୟୋଧନଙ୍କ ସାଙ୍ଗ ହୋଇ ପାଣ୍ଡବଙ୍କ ଅହିତ ପାଞ୍ଚୁଥାନ୍ତି । କର୍ଣ୍ଣ ଜନ୍ମ ହେବା କଥା କୁନ୍ତୀଙ୍କ ଛଡ଼ା ଆଉ କିଏ ଜାଣି ନ ଥିଲେ ।

 

କର୍ଣ୍ଣ ଯେତେବେଳେ ଅର୍ଜୁନଙ୍କ ସଙ୍ଗେ ଲଢ଼ିବାକୁ ଉଠିଲେ, ସଭାଲୋକେ କହିଲେ, ‘‘କର୍ଣ୍ଣ ରଜା ନୁହନ୍ତି କି ରଜାପୁଅ ନୁହନ୍ତି । ତାଙ୍କ ବାପ ମା’ ଠିକ୍‌ ନାହିଁ । ସେ କିମିତି ରଜାପୁଅ ଅର୍ଜୁନ ସଙ୍ଗେ ଲଢ଼ିବେ ।’’

 

କର୍ଣ୍ଣଙ୍କ ମୁହଁ ରଙ୍ଗ ପଡ଼ିଗଲା । ସେ କିଛି କହିପାରିଲେ ନାହିଁ । ମାତ୍ର ତାଙ୍କ ମନରେ ଦୁଃଖ ଦେଖି ଦୁର୍ଯ୍ୟୋଧନ ସମ୍ଭାଳି ନ ପାରି କହିଲେ, ‘‘କର୍ଣ୍ଣ ପରା ରଜା ନୁହନ୍ତି ? ମୁଁ ଏଇକ୍ଷଣି ତାଙ୍କୁ ଅଙ୍ଗ ଦେଶର ରଜା କରୁଚି–ଆସୁ ଅର୍ଜୁନ ଲଢ଼ିବ।’’ ଏହା କହି ସେ କର୍ଣ୍ଣଙ୍କ ମୁଣ୍ଡରେ ପାଟ ଶାଢ଼ି ବାନ୍ଧି ଦେଲେ ।

 

ବେଳ ବୁଡ଼ି ଯାଇଥିବାରୁ ସେ ଖେଳ ଆଉ ହେଲା ନାହିଁ । କର୍ଣ୍ଣଙ୍କର ଅର୍ଜୁନଙ୍କ ଉପରେ ବଡ଼ ରାଗ ରହିଲା ।

 

ପରେ ଗୁରୁଙ୍କୁ ଦକ୍ଷିଣା ଦେବା କଥା । ଦ୍ରୋଣ କହିଲେ, ‘‘ଦ୍ରୁପଦ ରଜାଙ୍କୁ ମୋ ପାଖକୁ ବାନ୍ଧି ଆଣିଲେ ମୁଁ ମୋ ଦକ୍ଷିଣା ପାଇଲି ।’’ ପ୍ରଥମେ କୌରବମାନେ ଯାଇ ହାରି ଫେରିଲେ, ତା’ପରେ ପାଣ୍ଡବମାନେ ଗଲେ । ଦ୍ରୁପଦଙ୍କୁ ବାନ୍ଧି ଆଣି ଦ୍ରୋଣଙ୍କ ପାଖେ ଠିଆ କରାଇଲେ । ଦ୍ରୋଣ ଦ୍ରୁପଦଙ୍କୁ ଗାଳି ଫଜିତ ନ କରି ଭଲ ଭାବରେ କହିଲେ, ‘‘ତୁମ ରାଜ୍ୟ ଏବେ ମୋର ହୋଇଚି । ମାତ୍ର ତୁମେ ମୋର ପିଲା ଦିନର ସାଙ୍ଗ । ସେଥିଲାଗି ମୁଁ ତୁମକୁ ଅଧେ ଫେରାଇ ଦେଲି-। ବାକି ଅଧକ ମୋର ।’’ ଏହା କହି ଛାଡ଼ି ଦେଲେ । ଦ୍ରୁପଦ ଲାଜରେ ମୁଣ୍ଡ ପୋତି ଅଧେ ରାଜ୍ୟ ହରାଇ ଗଲେ ।

Image

 

ଜଉ ଘର ପୋଡ଼ା ହେଲା

 

ସେ ଦିନ ଖେଳରେ ସମସ୍ତେ ଭୀମ ଆଉ ଅର୍ଜୁନଙ୍କୁ ପ୍ରଶଂସା କଲେ । ଏ କଥା ଦୁର୍ଯ୍ୟୋଧନ ସହି ପାରିଲେ ନାହିଁ । ଏ ଭିତରେ ଆଉ ଗୋଟିଏ କଥା ହେଲା । ଯୁଧିଷ୍ଠିର ତ କୁଳକୁ ବଡ଼, ଆଉ ଗୁଣବନ୍ତ ପୁଅ । ରାଜ୍ୟର ସମସ୍ତଙ୍କର ତାଙ୍କଠି ବୋଧ ଥାଏ । ଭୀଷ୍ମ, ଧୃତରାଷ୍ଟ୍ର ପ୍ରଭୃତି ବିଚାର କରି ତାଙ୍କୁ ଯୁବରାଜ କରାଇ ଦେଲେ । ଏ କଥାରେ ଜଳନ୍ତା ନିଆଁରେ କୁଟା ପକାଇଲା ପରି ଖଳ ଦୁର୍ଯ୍ୟୋଧନଙ୍କ ମନ ଜଳି ଉଠିଲା । ତାଙ୍କରି କେତେ ଦୁଷ୍ଟ ସାଙ୍ଗ ଥାନ୍ତି । ତାଙ୍କ ମାମୁ ଶକୁନି ସେଥିରୁ ଜଣେ । ସେମାନେ ସମସ୍ତେ ବସି ବିଚାର କଲେ, ‘‘ଆଉ ସହି ହେବ ନାହିଁ । ଏ ପାଣ୍ଡବ ପଞ୍ଝାକୁ ବାରୁଣବନ୍ତ ନେଇ ସେଠାରେ ଗୋଟେ ଜଉ ଘର କରି ପୋଡ଼ି ମାରି ଦେବା ।’’

 

ଏହା ବିଚାର କରି ସେମାନେ ଆଗରୁ ପୁରୋଚନ ବୋଲି ଏକ ଦୁଷ୍ଟ ଲୋକ ହାତରେ ଏକ ଜଉ ଘର ତୋଳାଇ ରଖିଲେ । ଏଣେ ବାପାଙ୍କୁ କହି ସେଠାରେ ଗୋଟେ ମେଳା ଦେଖି ଯିବା ପାଇଁ କୁନ୍ତୀ ପାଣ୍ଡବମାନଙ୍କୁ ପଠାଇ ଦେଲେ । ଦୁର୍ଯ୍ୟୋଧନଙ୍କର ଏ ଖଳ ବୁଦ୍ଧି କେବଳ ବିଦୁର ଜାଣନ୍ତି । ପାଣ୍ଡବମାନେ ଗଲା ବେଳକୁ ସେ କୌଶଳରେ ଏ କଥାତକ ତାଙ୍କୁ ଜଣାଇ ଦେଇଥିଲେ । ସେମାନେ ଧର୍ମକୁ ସାକ୍ଷୀ ରଖି ବାରୁଣାବନ୍ତ ଗଲେ ।

 

ଯାଇ ନୂଆ ଜଉ ଘରେ ରହିଲେ । ଦୁର୍ଯ୍ୟୋଧନ ଯେ ତାଙ୍କୁ ମାରିବାକୁ ପାଞ୍ଚିଛନ୍ତି, ସେମାନେ ଜାଣିଗଲେ । ଏଣେ ବିଦୁର କ’ଣ କରିଥାନ୍ତି ନା, ପାଣ୍ଡବଙ୍କ ପ୍ରାଣ ରଖିବା ପାଇଁ ଲୋକ ପଠାଇ ସେ ଘର ବାହାର ପାଖକୁ ଗୋଟେ ସିନ୍ଦି ଗାତ ଖୋଳାଇ ଦେଇଥାନ୍ତି ।

 

ଦୈବ ଯୋଗକୁ ପୁରୋଚନ ଯେଉଁ ଦିନ ଘରେ ନିଆଁ ଲଗାଇବ, ସେ ଦିନ ଜଣେ ମାଇପି ତା’ ପାଞ୍ଚ ପୁଅକୁ ଧରି ସେ ପିଣ୍ଡାରେ ଶୋଇଥିଲା । ପାଣ୍ଡବମାନେ ଏହା ଜାଣନ୍ତି ନାହିଁ । ପୁରୋଚନ ଉଠିବା ଆଗରୁ ପାଣ୍ଡବମାନେ ସେ ଘରେ ନିଆଁ ଲଗାଇ ଘର ଗାତ ବାଟେ ପଳାଇଲେ-

 

ସକାଳୁ ଦେଖିଲା ବେଳକୁ ପୁରୋଚନ ମରିଛି । ଆଉ ଛଅଟି ଶବ ପଡ଼ିଚି । ସମସ୍ତେ ଭାବିଲେ, ଏ ନିଶ୍ଚୟ ପାଣ୍ଡବ ଆଉ ତାଙ୍କ ମା’ । ରାଜ୍ୟର ସମସ୍ତେ ହାହାକାର କଲେ । ଦୁର୍ଯ୍ୟୋଧନ ମନେ ମନେ ଭାରି ଖୁସି ହେଲେ । ବିଚାରିଲେ, ‘‘ଖାଅରେ ପୁଏ, ଭାଗ ଖାଅ ।’’ ମାତ୍ର ବିଦୁର ସବୁ କଥା ଜାଣି ଚୁପ୍‌ ହୋଇ ଥାନ୍ତି ।

Image

 

ହିଡ଼ିମ୍ବ ଓ ବକ ଅସୁର ମଲେ

 

ପାଣ୍ଡବମାନେ ସେ ରାତି ରାତି ମାଆଙ୍କୁ ସାଙ୍ଗରେ ଧରି ଗଙ୍ଗା ପାର ହୋଇ ଆର ପାଖକୁ ଚାଲିଗଲେ । ଗଙ୍ଗା ଆର ପାଖେ ଭାରି ଜଙ୍ଗଲ । ଏମାନେ ଅନେକ ଦିନ ଜଙ୍ଗଲରେ ବୁଲିଲେ, ଖାଇବାକୁ ନ ପାଇ ବଡ଼ କଷ୍ଟ ପାଇଲେ, ଚାଲିବାକୁ ଗୋଡ଼ ହାତରେ ବଳ ରହିଲା ନାହିଁ । କେବଳ ଭୀମ ଥାନ୍ତି ବୋଲି ସମସ୍ତଙ୍କୁ କାନ୍ଧେଇ କରି ନିଅନ୍ତି, ନଈ ପଡ଼ିଲେ ପିଠିରେ ବସାଇ ପାରି କରନ୍ତି ।

 

ଇମିତି ଯାଇ ଯାଇ ଦିନେ ବଣରେ ଗୋଟିଏ ଗଛ ମୂଳେ ରହିଲେ । ସେ ବଣରେ ହିଡ଼ିମ୍ବ ବୋଲି ଗୋଟିଏ ଅସୁର ଥାଏ । ଏମାନଙ୍କୁ ଦେଖି ସେ ଖାଇବାକୁ ଆସିଲା । ସମସ୍ତେ ଆସକତିଆ ହୋଇ ଶୋଇ ପଡ଼ିଥିଲେ, ଭୀମ ଏକା ଚାହିଁଥିଲେ । ଅସୁର ଆଁକରି ଆସିବାରୁ ମା’ ଭାଇଙ୍କର ନିଦ ଭାଜି ଯିବ ବୋଲି ଭୀମ ତା’ ହାତ ଯୋଡ଼ାକ ଧରି ଘୋଷାରି ଦୂରକୁ ନେଇ ଗଲେ । ସେ ତ ଅସୁର, ସେ ସେଠୁ ଭୀମକୁ ଧରିଲା । ଦୁହିଁଙ୍କ ଭିତରେ ଆଚ୍ଛା ହୋଇ ଖଣ୍ଡେପଟେ ଲାଗିଲା। ଟେକା ପଥର ଫିଙ୍ଗି, ଗଛ ଉପୁଡ଼ା ଉପୁଡ଼ି ହୋଇ ମରାମରି ହେଲେ । ଶେଷକୁ ଭୀମ ତା’ ତୋଟିରେ ବସି ଚିପି ମାରିଦେଲେ । ଭାଇମାନେ ଉଠି ଭୀମଙ୍କର ଏ କାର୍ଯ୍ୟ ଦେଖିଲେ । ସେ ନ ଥିଲେ, ଅସୁର ସମସ୍ତଙ୍କୁ ଗିଳି ଦେଇଥାନ୍ତା ।

 

ହିଡ଼ିମ୍ବି ଅସୁରର ହିଡ଼ିମ୍ବୀ ବୋଲି ଗୋଟିଏ ଭଉଣୀ ଥିଲା । ଅସୁରୁଣୀ ହେଲେ କଅଣ ହେବ, ସେ ଭାରି ସୁନ୍ଦରୀ । ଭୀମ ତାକୁ ବିଭା ହେଲେ । ଘଟୋତ୍କଚ ବୋଲି ତାଙ୍କର ଏକ ପୁଅ ହେଲା । ସେ ଭୀମଙ୍କ ପରି ବଳୁଆ ଆଉ ବୀର ।

 

ଏମାନେ ସେ ବଣ ଛାଡ଼ି ଆହୁରି ଦୂରକୁ ଗଲେ । ଯାଇ ଯାଇ ଏକଚକ୍ରା ବୋଲି ଏକ ଗାଁରେ ଜଣେ ବ୍ରାହ୍ମଣ ଘରେ ବସା କରି ରହିଲେ । ସେଠି ଥାଇ ପ୍ରତିଦିନ ଭିକ ମାଗି ଆଣି ବୁଲନ୍ତି । ଦିନେ ସେ ବ୍ରାହ୍ମଣ ଘରେ କାନ୍ଦି ବୋବାଳି ଶୁଭିଲା । କୁନ୍ତୀ ଯାଇ ବୁଝିଲେ ଯେ, ସେ ମୁଲକରେ ବକ ବୋଲି ଅସୁର ଅଛି । ସେ ନିତି ଜଣକ ଘରୁ ଗୋଟିଏ ମନୁଷ୍ୟ ଆଉ ପିଠାପଣା କରି ବୋଝେ ଖାଇବ । ସେ ଦିନ ସେ ବ୍ରାହ୍ମଣ ଘରର ପାଳି । କିଏ ଯିବ, ଏଥି ପାଇଁ ତା’ ଘରେ ଭାଲେଣି ପଡ଼ିଚି-!

 

ଭୀମ ଏ କଥା ଶୁଣି ସାଙ୍ଗେ ସାଙ୍ଗେ ସଜ ହେଲେ, ମାଆଙ୍କୁ କହିଲେ, ‘‘ଯାହା ଘରେ ଅଛେ ତା’ର ଉପକାର କରିବା ଆମ ଧର୍ମ । ମୁଁ ଯିବି, ଅସୁରକୁ ମାରି ଆସିବି ।’’ ୟା କହି ସେ ଶଗଡ଼େ ପିଠାପଣା ଧରି ବଣକୁ ଗଲେ ।

 

ଅସୁର ତେଣେ ଉଛୁର ହେଲା ବୋଲି ରାଗରେ ଚାହିଁ ବସିଥିଲା । ଭୀମ ପିଠା ନେଇ ତାକୁ ଦେବେ କ’ଣ, ନିଜେ ତା’ ଆଗେ ଖାଇ ବସିଲେ । ଅସୁର ତେଣେ ଆଁକରି ଆସିଲା ଭୀମଙ୍କୁ ଗୋଟାସଧିଆ ଗିଳଦେବ ବୋଲି । ଦୁହେଁ ଧରାଧରି ଗଡ଼ାଗଡ଼ି ମରାମରି ହେଲେ । ଗଛ ଉପାଡ଼ି, ଡାଳ ଭାଙ୍ଗି ଏ ତାକୁ ସେ ୟାକୁ ପିଟାପିଟି ହେଲେ । କେତେ ସମୟ ପରେ ଭୀମ ଇମିତି ଜୋରରେ ଅସୁରକୁ ଧରି ଫିଙ୍ଗି ଦେଲେ ଯେ, ସେ ଚିତ୍‌ପଟାଙ୍ଗ ଦେଇ ଗଁ ଗଁ ହୋଇ ଆଁଟା କରି ମରିଗଲା । ଅସୁର ମଲାରୁ ସେ ଗାଁ ଲୋକେ ଭାରି ଖୁସି ହେଲେ । ସୁଖରେ ରହିଲେ ।

Image

 

ପାଣ୍ଡବମାନେ ଦ୍ରୌପଦୀଙ୍କି ବିଭା ହେଲେ

 

ଦ୍ରୋଣ ଦ୍ରୁପଦ ରଜାଙ୍କ ରାଜ୍ୟରୁ ଅଧେ ଛଡ଼ାଇ ନେବା ଦିନୁ ତାଙ୍କର ଦ୍ରୋଣଙ୍କଠାରେ ରାଗ ରହିଲା । ଦ୍ରୋଣଙ୍କୁ ମାରିବା ପାଇଁ ସେ ଋଷିମାନଙ୍କୁ ଡକାଇ ଏକ ପୁତ୍ତେଷ୍ଟି ଯାଗ କରାଇଲେ-। ଯାଗ କୁଣ୍ଡରୁ ପୁଅ ଝିଅ ହୋଇ ଯୋଡ଼ିଏ ବାହାରିଲେ । ପୁଅଟି ନାଁ ଧ୍ରୁଷ୍ଟଦ୍ୟୁମ୍ନ । ସେ ବାହାରିଲା କ୍ଷଣି ଉପରୁ ଶୁଭିଲା, ‘‘ଦ୍ରୋଣ ୟାଙ୍କରି ହାତରେ ମରିବେ ।’’

 

ଯେଉଁ ଝିଅଟି ବାହାରିଲା, ସେ ଭାରି ସୁନ୍ଦର । ତାଙ୍କ ନାଁ ଦ୍ରୌପଦୀ । ସେ ବାହାରିଲା ବେଳେ ଶୂନ୍ୟବାଣୀ ହେଲା, ‘‘ୟାଙ୍କରି ହେତୁ କୌରବମାନେ ମରିବେ ।’’

 

ଦ୍ରୌପଦୀ ଦିନକୁ ଦିନ ବଡ଼ ହେଲେ, ତାଙ୍କ ରୂପ ଗୁଣ ଚହଟିଲା । ସେତେବେଳେ ତ ଅର୍ଜୁନଙ୍କ ବୀରପଣିଆ ସବୁଆଡ଼େ ଶୁଣା ଯାଉଥାଏ, ଦ୍ରୁପଦ ଭାବିଥିଲେ, ଝିଅକୁ ଅର୍ଜୁନଙ୍କୁ ବିଭା କରାଇବେ । ମାତ୍ର ଅର୍ଜୁନ ହେରିକା ଜଉଘରେ ପୋଡ଼ି ମରିବାର ଶୁଣାଯିବାରୁ ସେ ଏକ ସ୍ୱୟମ୍ବର ସଭା କଲେ । କଥା ହେଲା, ଏକ ବଡ଼ ଖମ୍ବ ଉପରେ ଗୋଟେ ମାଛ ରହିବ, ମାଛ ତଳକୁ ଗୋଟେ ଚକ ସବୁବେଳେ ବୁଲୁଥିବ । ଏଣେ ଖମ୍ବ ତଳେ ପାଣି କୁଣ୍ଡଟିଏ ଥିବ । ଯେ ସେ ପାଣି କୁଣ୍ଡରେ ମାଛର ଛାଇ ଦେଖି ଉପରେ ତା’ ଆଖିକି ଶର ଲାଖ କରିବ, ଦ୍ରୌପଦୀଙ୍କି ସେ ବିଭା ହେବ । ପାଣ୍ଡବମାନେ ଏକଚକ୍ରା ଗାଁରେ ଥିଲାବେଳେ ବ୍ୟାସଦେବ ସେଠାକୁ ଯାଇ ତାଙ୍କୁ ଏ ସବୁ କଥା କହିଦେଇ ଆସିଲେ ।

 

ଦ୍ରୌପଦୀଙ୍କି ପାଇବା ପାଇଁ କେତେ ଆଡ଼ୁ କେତେ ରଜା, ରଜାପୁଅ, ବୀର ଆସି ପଞ୍ଚାଳରେ ପହଞ୍ଚିଲେ । ହସ୍ତିନାରୁ ଦୁର୍ଯ୍ୟୋଧନ, କର୍ଣ୍ଣ, ଦ୍ୱାରକାରୁ ଶ୍ରୀକୃଷ୍ଣ, ବଳରାମ ଆସିଥିଲେ । ଶିଶୁପାଳ, ଶଲ୍ୟ ଆଦି ବୀରମାନେ ମଧ୍ୟ ଆସି ପହଞ୍ଚିଲେ । ପନ୍ଦର ଦିନ ଭାରି ଉତ୍ସବ ଲାଗିଲା । ପାଣ୍ଡବ ପାଞ୍ଚ ଭାଇ କାହାକୁ ଚିହ୍ନା ନ ଦେଇ ବ୍ରାହ୍ମଣ ବେଶ ପକାଇ, ବ୍ରାହ୍ମଣଙ୍କ ସାଙ୍ଗେ ଆସି ଏକ କୁମ୍ଭାର ଘରେ ବସା କରି ରହିଲେ ।

 

ଲାଖବିନ୍ଧା ଦିନ ହେଲା । ସେ ଦିନ ଦ୍ରୌପଦୀ ଭଲ ବେଶ ହୋଇ ଭାଇଙ୍କ ସଙ୍ଗେ ଫୁଲମାଳ ଧରି ସଭାକୁ ଆସିଥାନ୍ତି, ଯେ ଲାଖ ବିନ୍ଧିବ ତା’ ବେକରେ ମାଳ ଲମ୍ବାଇ ଦେବେ ।

 

ଜଣ ଜଣ ହୋଇ ରାଜାମାନେ ଖମ୍ବ ପାଖକୁ ଗଲେ, ମାତ୍ର କେହି ପାରିଲେ ନାହିଁ । କିଏ ଧନୁଟା ଟେକି ପାରିଲା ନାହିଁ, ଟେକୁ ଟେକୁ କିଏ ମୁହଁ ମାଡ଼ି ପଡ଼ିଗଲା, କାହାକୁ ମାଛଟା ଦିଶିଲା ନାହିଁ, କାହା ମୁଣ୍ଡ ବୁଲେଇ ହେଲା । ଏ ସବୁ କଥା ଦେଖି ସଭାରେ ହସବୃଷ୍ଟି ହେଲା । ରଜା ଆଉ ବୀରମାନେ କେହି ନ ପାରିବାରୁ ବ୍ରାହ୍ମଣଙ୍କ ସଭାରୁ ଅର୍ଜୁନ ଉଠିଲେ ଲାଖ ବିନ୍ଧିବାକୁ । ଆଗେ ସମସ୍ତେ ତାଙ୍କୁ ଦେଖି ହସିଲେ, ‘‘ବ୍ରାହ୍ମଣଟାର କେତେ ଲୋଭ ମ ?’’ ମାତ୍ର ସେ ଯେମିତି ଗଲେ ଧନୁଟାକୁ ଧରି ଇମିତି ସଜରେ ଶର ମାରିଦେଲେ ଯେ, ଠକ୍‌କିନି ଯାଇ ମାଛ ଆଖିରେ ବାଜି ଗଲା-। ସମସ୍ତେ ‘‘ସାବାସ୍‌ ବ୍ରାହ୍ମଣ, ସାବାସ୍‌’’ କହିଲେ । ଦ୍ରୌପଦୀ ଫୁଲମାଳ ଆଣି ତାଙ୍କ ବେକରେ ପକାଇ ଦେଲେ । ସଭାରେ ତ କୃଷ୍ଣ ବସିଥିଲେ–ସେ କେବଳ ଜାଣିଲେ, ଏ ଅର୍ଜୁନ ।

 

ଜଣେ ବ୍ରାହ୍ମଣ ଦ୍ରୌପଦୀଙ୍କି ଜିଣି ନେଇ ଯିବାର ଦେଖି ରଜାମାନଙ୍କର ରାଗ ହେଲା । ସେମାନେ ଦ୍ରୁପଦ ରାଜାଙ୍କୁ ମାରିବାକୁ ଘେରି ଗଲେ । ଏହା ଦେଖି ଭୀମ ଗଛରୁ ଡାଳ ଭାଙ୍ଗି ସେମାନଙ୍କୁ ପଛରୁ ପିଟି ନେଲେ । ଭାରି ଯୁଦ୍ଧ ଲାଗିଲା । ଅର୍ଜୁନ ଆଉ ଭୀମଙ୍କ ଦାଉରେ ରଜାମାନେ ହାରି ପଳାଇଲେ ।

 

କୁନ୍ତୀ ତ ତେଣେ ଘରେ ଥିଲେ, ସେ ଏ ସବୁ କଥା କିଛି ଜାଣନ୍ତି ନାହିଁ । ପୁଅମାନେ ଦ୍ରୌପଦୀଙ୍କି ଧରି ବସାକୁ ଗଲେ । ପଛରୁ ଡାକି କହିଲେ, ‘‘ମା, ଆମେ ଗୋଟିଏ ଜିନିଷ ଆଣିଚୁ ।’’ କୁନ୍ତୀ କହିଲେ, ‘‘ଯାହା ଆଣିଚ ବାଣ୍ଟିକରି ନିଅ ।’’ ମାତ୍ର ସେ ବୁଲି ଦେଖନ୍ତି ତ ପୁଏ ଗୋଟିଏ ବୋହୂ ଆଣିଛନ୍ତି । ସେତେବେଳେ ପୁଅମାନେ ମାଆଙ୍କ କଥାକୁ ଦିଅଁଙ୍କ ପରି ମାନୁଥିଲେ । ଠିକ୍‌ ହେଲା ଯେ ପାଞ୍ଚଭାଇଯାକ ମିଶି ଦ୍ରୌପଦୀଙ୍କି ବିଭା ହେବେ ।

 

ଏଣେ ଦ୍ରୁପଦ ଜାଣି ପାରିଲେ, ଯେ ଲାଖ ବିନ୍ଧିଛନ୍ତି ସେ ଅର୍ଜୁନ । ସେ ଆଉ ତାଙ୍କ ମା’, ଭାଇମାନେ କୁମ୍ଭାର ଶାଳାରେ ବସାକରି ଅଛନ୍ତି । ତହୁଁ ସେ ଭାରି ସନମାନରେ ସମସ୍ତିଙ୍କି ଡାକି ଆଣିଲେ । ଗଡ଼ରେ ବିଭାଘର ହେଲା । ଦ୍ରୁପଦ ପାଞ୍ଚ ଜୋଇଁଙ୍କି ଅନେକ ଧନରତ୍ନ, ହାତୀ, ଘୋଡ଼ା ଯୌତୁକ ଦେଲେ ।

Image

 

ପାଣ୍ଡବମାନେ ଭାଇଭାଗ ପାଇଲେ

 

ପାଣ୍ଡବମାନେ ଜିଇଁଛନ୍ତି ବୋଲି ହସ୍ତିନାରେ ଚହଳ ପଡ଼ିଗଲା । ପ୍ରଜାମାନେ ମହା ଖୁସି ହେଲେ । ଭୀଷ୍ମ, ଦ୍ରୋଣ, ବିଦୁର ହେରିକା ତାଙ୍କୁ ରାଜ୍ୟକୁ ଆଣି ଭାଇଭାଗ ଦେବାକୁ ଦୁର୍ଯ୍ୟୋଧନଙ୍କୁ କହିଲେ । ଦୁର୍ଯ୍ୟୋଧନଙ୍କର ତ ଖଳ ବୁଦ୍ଧି । ଶକୁନି କଥାରେ ପଡ଼ି ସେ ଆଗ ମଙ୍ଗୁ ନ ଥିଲେ । ପଛକୁ ମଙ୍ଗିବାରୁ ଧୃତରାଷ୍ଟ୍ର ପାଣ୍ଡବଙ୍କୁ ପଞ୍ଚାଳରୁ ଡକାଇ ଆଣିଲେ । ତା’ପରେ ରାଜ୍ୟକୁ ଦୁଇ ଭାଗ କରି ଅଧେ ତାଙ୍କୁ ଦେଲେ ।

 

ପାଣ୍ଡବମାନେ ଯେଉଁ ଅଧିକ ରାଜ୍ୟ ପାଇଲେ ସେ ଭାରି ଜଙ୍ଗଲ ହୋଇଥିଲା । ତାକୁ ସେ ହଣା ମରା କରାଇ ସୁନ୍ଦର ନଅର ତୋଳିଲେ । ସ୍ୱର୍ଗର ଇନ୍ଦ୍ରପୁରୀ ପରି ସେ ଶୋଭା ପାଉଥିବାରୁ ତା’ ନାଁ ଇନ୍ଦ୍ରପସ୍ଥ ଦିଆ ହେଲା । ପାଣ୍ଡବମାନେ ମା’ ମାଇପଙ୍କୁ ଧରି ସେଠି ବଡ଼ ସୁଖରେ ରହିଲେ ।

 

ସେ ପାଞ୍ଚ ଭାଇଙ୍କ ଭିତରେ କଥା ହୋଇଥାଏ ଯେ ତାଙ୍କ ଭିତରୁ କିଏ ଜଣେ ଦ୍ରୌପଦୀଙ୍କ ପାଖରେ ଥିଲେ ସେତେବେଳେ ଆଉ କିଏ ସେଠାକୁ ଯିବେ ନାହିଁ । ଗଲେ ବାର ବର୍ଷ ବନବାସ କରି ରହିବେ ।

 

ଥରେ ଯୁଧିଷ୍ଠିର ଦ୍ରୌପଦୀଙ୍କ ପାଖରେ ଥିବାବେଳେ ଅର୍ଜୁନ ସେ ଘରକୁ ଗୋଟିଏ ହତିଆର ଆଣିବାକୁ ପଶିଗଲେ । ସେହି ଦୋଷରୁ ସେ ବାରବର୍ଷ କାଳ ବନବାସ କରି ଗଲେ । ଏ ବାରବର୍ଷ ଭିତରେ ସେ ଅନେକ ତୀର୍ଥ ବୁଲି ଶେଷକୁ ଶ୍ରୀକୃଷ୍ଣଙ୍କ ପାଖେ ଦ୍ୱାରକାରେ ପହଞ୍ଚିଲେ । ଶ୍ରୀକୃଷ୍ଣଙ୍କର ସୁଭଦ୍ରା ବୋଲି ଗୋଟିଏ ଭଉଣୀ ଥାଏ । ଅର୍ଜୁନ ତାକୁ ସେଇଠି ବିଭା ହେଲେ । ତା’ପରେ, ବାର ବର୍ଷ ପୂରିଲାରୁ ସୁଭଦ୍ରା ଶ୍ରୀକୃଷ୍ଣ ଓ ତାଙ୍କ ଭାଇ ବଳରାମଙ୍କୁ ସାଙ୍ଗରେ ଧରି ଇନ୍ଦ୍ରପ୍ରସ୍ଥକୁ ଆସିଲେ ।

Image

 

ଖାଣ୍ଡବ ବଣ ପୋଡ଼ା ହେଲା

 

ଦିନେ ଶ୍ରୀକୃଷ୍ଣ ଆଉ ଅର୍ଜୁନ ସାଙ୍ଗ ହୋଇ ବୁଲୁଥିଲେ, ଅଗ୍ନି ଦେବତା ଗୋଟିଏ ବ୍ରାହ୍ମଣ ବେଶ ଧରି ଆସି କହିଲେ, ‘‘ଗୋଟିଏ ଜାଗାରେ ବହୁତ ଘିଅ ଖାଇ ମୋର ରୋଗ ହୋଇ ଯାଇଚି । ବ୍ରହ୍ମା କହିଛନ୍ତି, ଖାଣ୍ଡବ ବଣଟା ଖାଇଲେ ଏ ରୋଗ ଭଲ ହେବ । ମାତ୍ର ଇନ୍ଦ୍ର ଏ ବଣ ଜଗିଛନ୍ତି । ମୁଁ ପାଖ ମାଡ଼ିଲେ ମେଘ ବରଷି ଦେଉଛନ୍ତି । ବ୍ରହ୍ମା କହିଛନ୍ତି, ଆପଣ ସାହା ହେଲେ ମୁଁ ସେଥିରେ ପଶି ଖାଇବି ।’’

 

ଖାଣ୍ଡବ ଗୋଟିଏ ଭାରି ବଡ଼ ଜଙ୍ଗଲ । ସେଥିରେ ବହୁତ ଜୀବଜନ୍ତୁ ଥାନ୍ତି । କୃଷ୍ଣ ଅର୍ଜୁନ ଅଗ୍ନିଙ୍କି କହିଲେ, ‘‘ଆମ ପାଖରେ ତ କିଛି ଅସ୍ତ୍ର ଶସ୍ତ୍ର, ନାହିଁ । ଯେବେ କା’ଠୁ ଆଣି ଆମକୁ ଦେବ ତେବେ ସାହା ହେବୁ ।’’ ଅଗ୍ନି ବରୁଣଙ୍କ ପାଖକୁ ଗଲେ । ଅର୍ଜୁନଙ୍କ ପାଇଁ ଗୋଟିଏ ରଥ, ଆଉ ଗାଣ୍ଡିବ ବୋଲି ଗୋଟିଏ ଭଲ ଧନୁ ଆଣିଲେ । ଶ୍ରୀକୃଷ୍ଣଙ୍କ ପାଇଁ ସୁଦର୍ଶନଚକ୍ର ଆଉ ଗଦା ଆଣି ଦେଲେ ।

 

ୟାଙ୍କରି ବଳରେ ଅଗ୍ନି ଦମ୍ଭ ପାଇଲେ । ସେ ଯାଇ ବଣ ପୋଡ଼ିଲେ । ଇନ୍ଦ୍ର ନିଆଁ ଲିଭାଇବାକୁ ମେଘ ବରଷାଇଲେ, ପର୍ବତ ଫିଙ୍ଗିଲେ । ମାତ୍ର କୃଷ୍ଣ ଅର୍ଜୁନଙ୍କ ଅସ୍ତ୍ର ବଳରେ ତାହା ସବୁ କିଛି କାଟିଲା ନାହିଁ । ଅଗ୍ନି ବଣଟାକୁ ଖାଇ ସନ୍ତୁଷ୍ଟ ହେଲେ । ତାଙ୍କ ରୋଗ ଭଲ ହୋଇଗଲା । ଏଇ ବଣ ପୋଡ଼ିରେ ଅନେକ ଜୀବଜନ୍ତୁ ମଲେ । କେତେ ମଲେ ତା’ ଗଣି କହିହେବ ନାହିଁ । ଏଡ଼େ ବଣରୁ ସମସ୍ତେ ପୋଡ଼ି ଶେଷକୁ ଛଅଟି ପ୍ରାଣୀ ରକ୍ଷା ପାଇଥିଲେ ।

 

ଅର୍ଜୁନ ତ ଇନ୍ଦ୍ରଙ୍କ ପୁଅ, ତାଙ୍କ ବଳ ଦେଖି ଇନ୍ଦ୍ର ଭାରି ଖୁସି ହେଲେ । କହିଲେ, ‘‘ମହାଦେବଙ୍କୁ ସନ୍ତୁଷ୍ଟ କରି ପାରିଲେ ତୁମକୁ ସେ ଭଲ ଭଲ ଅସ୍ତ୍ର ଦେବେ ।’’

Image

 

ସଭାଘର ତୋଳା ହେଲା

 

ଯେଉଁ ଛ’ଜଣ ଖାଣ୍ଡବ ପୋଡ଼ିରୁ ଜିଇଁଥିଲେ ତାଙ୍କ ଭିତରେ ମୟ ବୋଲି ଏକ ଦାନବ ଥିଲେ । ଦାନବଙ୍କ ଭିତରେ ସେ ବଡ଼ କାରିଗର । ସେ ଆସି ଅର୍ଜୁନଙ୍କୁ କହିଲେ, ‘‘ଆପଣ ମୋ ଜୀବନ ରଖିଛନ୍ତି, ଆପଣଙ୍କର ମୁଁ କ’ଣ ହେଲେ ଉପକାର କରିଯିବାକୁ ଭାବିଚି । କହନ୍ତୁ କ’ଣ କରିବି ।’’

 

ଅର୍ଜୁନ କହିଲେ, ‘‘ମୋର କିଛି ଲୋଡ଼ା ନାହିଁ । ତୁମେ କୃଷ୍ଣଙ୍କ ପାଇଁ କିଛି କରିଦେଇ ଯାଅ ।’’

 

କୃଷ୍ଣ ମୟଙ୍କୁ କହିଲେ, ‘‘ଆଚ୍ଛା, ଯେବେ କହୁଚ, ଯୁଧିଷ୍ଠିରଙ୍କ ପାଇଁ ଗୋଟିଏ ଭଲ ସଭାଘର ତିଆରି କରି ଦିଅ । ଇମିତି ଘର କରିବ ଯେ, ପୃଥିବୀରେ ସେଭଳି ଆଉ କେବେ ହୋଇ ନ ଥିଲା କି ହେବ ନାହିଁ ।’’

 

ମୟ ଘର ତିଆରିରେ ଲାଗିଲେ । ସେ ଘର କଥା ଲେଖି ବୁଝାଇ ହେବ ନାହିଁ । ଏଡ଼େ ସୁନ୍ଦର ଘର, ଏତେ ମଣି ମାଣିକ୍ୟ, ଏତେ ଦାମର ଜିନିଷରେ ତାହା ତୋଳା ହୋଇଥିଲା ଯେ, ଦେବତାମାନେ ଆଶ୍ଚର୍ଯ୍ୟ ହୋଇ ଦେଖିବାକୁ ଆସିଲେ । ଘରଟି ପାଞ୍ଚ ହଜାର ହାତ ଲମ୍ବ ହୋଇଥିଲା । ମୟ ସେ ଘରକୁ ଚଉଦ ମାସରେ ସାରିଲେ । ଏପର୍ଯ୍ୟନ୍ତ ପୃଥିବୀରେ ସିମିତି ଘର ଆଉ କିଏ କରିପାରି ନାହାନ୍ତି ।

 

ଘର ତୋଳି ସାରି ମୟ ତାଙ୍କ ରାଜ୍ୟକୁ ଯିବାକୁ ବାହାରିଲେ । ଗଲାବେଳେ ଖୁସି ହୋଇ ଅର୍ଜୁନଙ୍କୁ ଗୋଟିଏ ଭଲ ଶଙ୍ଖ, ଭୀମଙ୍କୁ ଗୋଟିଏ ଗଦା ଦେଇ ଥିଲେ । ଶଙ୍ଖଟି ନାଁ ଦେବଦତ୍ତ, ଆଉ ଗଦାଟି ନାଁ ବୃଷପର୍ବା । ଏ ଦୁଇଟି ବରୁଣ ଦେବତାଙ୍କଠୁ ମୟ ଆଣିଥିଲେ ।

 

ସଭାଘର ତୋଳା ହେଲା ପରେ ଦିନେ ନାରଦ ମୁନି ସେଠାକୁ ଆସିଲେ । ନାରଦ ଭାରି ଜ୍ଞାନୀ । ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସବୁଆଡ଼େ ବୁଲନ୍ତି । ପ୍ରଜାଙ୍କୁ ପାଳିବା ବିଷୟରେ ସେ ଯୁଧିଷ୍ଠିରଙ୍କୁ ବହୁତ ହିତ କଥା କହିଲେ । ଗଲାବେଳକୁ କହିଗଲେ, ‘‘ଜାଣିଲ ଯୁଧିଷ୍ଠିର, ଏପରି ନାହିଁ ନ ଥିବା ଘର ତ ପାଇଚ, ଏବେ ଗୋଟିଏ ରାଜସୂୟ ଯଜ୍ଞ କର । ଏହା ତୁମେ କରିପାରିଲେ ତୁମ ପିତା ଦେବତାମାନଙ୍କ ସଭାରେ ବସି ପାରନ୍ତେ ।’’

Image

 

ଜରାସନ୍ଧ ମଲା

 

ରାଜସୂୟ ଯାଗ ସହଜ କଥା ନୁହେଁ । ଯେ ଏହା କରେ ସେ ମହାରାଜା ବୋଲାଏ । ଭରତ ମହାରାଜା ଆଗେ ଏହା କରିଥିଲେ । ସବୁ ରଜାଙ୍କୁ ଜିଣି ସେମାନଙ୍କଠୁ କର ଆଣି ପାରିଲେ ଏ ଯାଗ ହୁଏ । ଯେ ଜିଣି କରି କର ଆଣନ୍ତି, ରଜାମାନେ ତାଙ୍କ ସଭାକୁ ଆସି ସଲାମି ଦେଇ ଯାନ୍ତି-

 

ଯୁଧିଷ୍ଠିରଙ୍କର ଯାଗ କରିବାକୁ ସାହସ ଖଟିଲା ନାହିଁ । ମାତ୍ର ବିଚାରିଲେ ଭୀମ ଅର୍ଜୁନଙ୍କ ପରି ଭାଇ, ଆଉ କୃଷ୍ଣଙ୍କ ପରି ବନ୍ଧୁ ଥାଉ ଥାଉ ଏ ଯାଗ କରିବା କିଛି କଷ୍ଟ ନୁହେଁ ।

 

ଶ୍ରୀକୃଷ୍ଣ ମଥୁରାରେ ଥିଲେ । ଯୁଧିଷ୍ଠିର ଲୋକ ପଠାଇ ତାଙ୍କୁ ଡକାଇ ଆଣିଲେ । ପାଞ୍ଚଭାଇ ଆଉ ଶ୍ରୀକୃଷ୍ଣଙ୍କ ଭିତରେ ଯାଗ କରିବା ବିଷୟରେ ବହୁତ ବିଚାର ପଡ଼ିଲା । ଶ୍ରୀକୃଷ୍ଣ କହିଲେ, ‘‘ସବୁ ହେବ, ମାତ୍ର ମଗଧ ରଜା ଜରାସନ୍ଧକୁ ଜିଣିବା ସହଜ ନୁହେଁ । ସେ ଭାରି ବୀର । ସେ ଏକ ଯାଗ କରୁଛି ଯେ, ସେଥିରେ ଶହେ ରଜାଙ୍କୁ ବଳି ପକାଇବ । ଏବେ ଚଉରାଅଶୀ ଜଣ ରଜାଙ୍କୁ ଆଣି ଘରେ ବନ୍ଦୀ କରି ରଖିଛି । ତାକୁ ଆଗ ମାରିଲେ ପରେ ଆଉ କଥା ବିଚାର କରିବା ।

 

କଥା ହେଲା ଯେ ଜରାସନ୍ଧ ସାଙ୍ଗେ ଲଢ଼ିବା ପାଇଁ ଭୀମ ଓ ଅର୍ଜୁନ ମଗଧ ଯିବେ । ତାଙ୍କ ସଙ୍ଗେ ଶ୍ରୀକୃଷ୍ଣ ଥିବେ ।

 

ଶ୍ରୀକୃଷ୍ଣ ତ କେତେ ଉପାୟ ଜାଣନ୍ତି, ସୈନ୍ୟ ସାମନ୍ତ ନେଇ ମଗଧ ଗଲେ । ଜରାସନ୍ଧକୁ ପାରି ହେବନାହିଁ ବିଚାରି ତିନିହେଁ ବ୍ରାହ୍ମଣ ବେଶ ପକାଇଲେ । ତିନିଜଣ ଯାକ ଯାଇ ମଗଧରେ ମହା ଉପଦ୍ରବ ଆରମ୍ଭ କଲେ,–ଦୋକାନପତ୍ର ଲୁଟି କଲେ, ରଜାଙ୍କ ଲୋକଙ୍କୁ ମାରିଲେ, ଜିନିଷ ଛଡ଼ାଇ ନେଲେ, ପାଚିରି ଡେଇଁ ନଅର ଭିତରେ ପଶିଲେ ।

 

ଜରାସନ୍ଧ ବ୍ରାହ୍ମଣମାନଙ୍କୁ ଭାରି ଭକ୍ତି କରେ । ସେ ଆଦରରେ ଏମାନଙ୍କୁ ଡକାଇବାରୁ ଏମାନେ କହିଲେ, ‘‘ଆମେ ଯାଇ ପାରିବୁ ନାହିଁ । ତୁମେ ରାତିରେ ଆମ ପାଖକୁ ଆସିଲେ ଦେଖା ହେବ ।’’

 

ଜରାସନ୍ଧ ସେହି ରାତିରେ ଗଲା । ସେ ଭକ୍ତିରେ ବ୍ରାହ୍ମଣଙ୍କ କୁଶଳ କଥା ପଚାରୁ ପଚାରୁ ଏମାନେ ତାଙ୍କୁ ଧମକାଇ କହିଲେ, ‘‘ତୁମେ ରାଜ୍ୟରେ ବଡ଼ ଅନ୍ୟାୟ କରୁଛ ।’’

 

ଜରାସନ୍ଧ ଦେଖିଲା, ଏମାନେ ବ୍ରାହ୍ମଣଙ୍କ ପରି ଦିଶୁ ନାହାଁନ୍ତି କି ବ୍ରାହ୍ମଣଙ୍କ ପରି କଥାବାର୍ତ୍ତା କରୁନାହାନ୍ତି । ତା’ ମନରେ ସନ୍ଦେହ ହେଲା । କହିଲା, ‘ତୁମେମାନେ ତ ବ୍ରାହ୍ମଣ ପରି ଦିଶୁ ନାହଁ । କ୍ଷତ୍ରିୟ ପରି ଦିଶୁଚ । କିଏ ତୁମେ ଫିଟାଇ କହ ।’

 

ଶ୍ରୀକୃଷ୍ଣ ତହୁଁ ଚିହ୍ନା ଦେଇ କହିଲେ, ‘‘ତୁମେ ଏତେ ରଜାଙ୍କୁ ମାରିବାକୁ ବନ୍ଦୀ କରିଛ । ସମସ୍ତଙ୍କୁ ଛାଡ଼ିଦିଅ, ନ ହେଲେ ଆମ ସଙ୍ଗେ ଯୁଦ୍ଧ କର ।’’

 

ଜରାସନ୍ଧ ଭାରି ବୀର । ସେ ଜାଣିଲା, ଭୀମ ଅର୍ଜୁନ କପଟରେ ଆସିଛନ୍ତି । ମନେ ମନେ ରାଗି ଯୁଦ୍ଧକୁ ସଜ ହେଲା । ଭୀମଙ୍କର ତା’ର ଲଢ଼େଇ ଆରମ୍ଭ ହେଲା । ଦୁହିଁଙ୍କ ଭିତରେ ଚଉଦ ଦିନ କାଳ ଲଢ଼େଇ ଲାଗିଲା । ଶେଷକୁ ଭୀମ ତା’ ଦି’ ଗୋଡ଼ ଧରି ଚିରି ମାରିଦେଲେ ।

 

ଜରାସନ୍ଧର ଜନ୍ମ ବିଷୟରେ ଗୋଟିଏ କଥା ଅଛି । ତା’ ବାପାର ଦୁଇ ରାଣୀଙ୍କଠୁ ଦି’ଫାଳ ହୋଇ ସେ ଜନ୍ମ ହୋଇଥିଲା । ଜରା ବୋଲି ଏକ ଅସୁରୁଣୀ ଦି’ଫାଳ ଯାକ ଯୋଡ଼ି ତାକୁ ଜିଆଁଇ ଥିବାରୁ ତା’ ନାଁ ଜରାସନ୍ଧ ହେଲା ।

Image

 

ପାଣ୍ଡବମାନେ ସବୁ ଦେଶ ଜିଣିଲେ

 

ଜରାସନ୍ଧ ମଲାରୁ ବନ୍ଦୀ ରଜାଯାକ ଖଲାସ ହେଲେ । ସେମାନେ ସମସ୍ତେ ଯୁଧିଷ୍ଠିରଙ୍କ ଯାଗକୁ ଯିବେ ବୋଲି ହଁ କଲେ । ଜରାସନ୍ଧର ପୁଅ ସହଦେବକୁ ମଗଧରେ ରଜା କରାଇଦେଇ ଶ୍ରୀକୃଷ୍ଣ, ଭୀମ, ଅର୍ଜୁନ ଇନ୍ଦ୍ରପ୍ରସ୍ଥକୁ ଫେରି ଆସିଲେ ।

ଏହା ପରେ ଆଉ ରାଜାମାନଙ୍କୁ ଜିଣିବା ପାଇଁ ଭୀମ ପୂର୍ବ ଦିଗକୁ, ଅର୍ଜୁନ ଉତ୍ତର ଦିଗକୁ, ନକୁଳ ପଶ୍ଚିମ ଦିଗକୁ ଏବଂ ସହଦେବ ଦକ୍ଷିଣ ଦିଗକୁ ଗଲେ । ସାଙ୍ଗରେ ସମସ୍ତେ ଅନେକ ସୈନ୍ୟ ନେଇଥିଲେ ।

ଅର୍ଜୁନ ଅନେକ ଯୁଦ୍ଧରେ ଜିଣିଲେ । ସେ ଦେଶ ଜିଣି ଜିଣି ହିମାଳୟ ପର୍ବତ ଆରପାଖି ଯାଏଁ ଯାଇଥିଲେ । ଫେରିଲା ବେଳେ ଅନେକ ଧନରତ୍ନ, ଲୁଗାପଟା ଆଣିଥିଲେ ।

ଭୀମ ଗଲେ ଯେ ପଞ୍ଚାଳ, କୋଶଳ, ଅଙ୍ଗ ରାଜ୍ୟମାନେ ଜିଣି ଶଗଡ଼ ଶଗଡ଼ ସୁନା ରୂପା, ମଣିମୁକ୍ତା ବୋହି ଆଣିଲେ । କେହି ରଜା ତାଙ୍କୁ ହଟାଇ ପାରିଲେ ନାହିଁ ।

ନକୁଳ ସହଦେବ କୁଶଳରେ ରାଜ୍ୟ ଜିଣି ଫେରି ଆସିଲେ । ସହଦେବ କିସ୍କିନ୍ଧ୍ୟା ମୁଲକରେ ମାଙ୍କଡ଼ ରଜା ସଙ୍ଗେ ଲଢ଼େଇ କରି ଲଙ୍କାକୁ ଯାଇଥିଲେ ।

ଏହିପରି ସବୁ ଦେଶ ଜିଣା ହେଲା ।

Image

 

ଶିଶୁପାଳର ଗର୍ବ ଭାଜିଲା

 

ଯାଗ ଦିନ ପାଖେଇଲା । ସବୁ ଦେଶର ରାଜାମାନେ ଆସି ଇନ୍ଦ୍ରପ୍ରସ୍ଥରେ ଜମା ହେଲେ-। ସମସ୍ତେ ଧନ ରତ୍ନ ମଣି ମାଣିକ୍ୟ ଆଣି ଯୁଧିଷ୍ଠିରଙ୍କ ପାଦତଳେ ଉପହାର ଦେଲେ । ଭୀଷ୍ମ, ଦ୍ରୋଣ, ଧୃତରାଷ୍ଟ୍ର, ବିଦୁର ଆଉ ଦୁର୍ଯ୍ୟୋଧନ ହେରିକା ଶହେ ଭାଇ ସମସ୍ତେ ଇନ୍ଦ୍ରପ୍ରସ୍ଥକୁ ଆସିଥିଲେ-। ଏତେ ଉତ୍ସବ ଲାଗିଥାଏ, ହେଲେ, ଦୁର୍ଯ୍ୟୋଧନଙ୍କ ମନକୁ କିଛି ପାଉ ନଥାଏ । ସେ ତ ପିଲା ଦିନୁ ପାଣ୍ଡବଙ୍କୁ ଭଲପାନ୍ତି ନାହିଁ, ତାଙ୍କ ବଡ଼ତି ଦେଖି ଦେଖି ଦେହ ସହନ୍ତା କିମିତି ? ସେ ସବୁ କଥା ଦେଖି ଗୁମ୍ ମାରି ଥାନ୍ତି ।

 

ଉତ୍ସବ ଦିନ କ’ଣ କିମିତି କରିବାକୁ ହେବ ଭୀଷ୍ମ ଦ୍ରୋଣ ରହି ସବୁ ଦତାଇ ଦେଉଥାନ୍ତି । ଶ୍ରୀକୃଷ୍ଣ ବ୍ରାହ୍ମଣମାନଙ୍କ ଗୋଡ଼ ଧୋଇ ଦେଉଥାନ୍ତି । ଦୁର୍ଯ୍ୟୋଧନଙ୍କ ଠାରେ ଉପହାର ରଖିବା ଭାର ଥାଏ । ଦୁଃଶାସନ ଭଣ୍ଡାର ଘର ଚାବି ରଖିଥାଏ । ଇମିତି ସମସ୍ତେ ଗୋଟିଏ ଗୋଟିଏ କାମ କରୁଥାନ୍ତି । ଗରିବ ଓ ଅତିଥିମାନଙ୍କୁ ଯୁଧିଷ୍ଠିର ନିଜେ ଧନରତ୍ନ ବାଣ୍ଟି ମହା ଖୁସି ହେଉଥାନ୍ତି ।

 

ଶୁଭରେ ଯାଗ ସରିଲା । ଶେଷକୁ ଅର୍ଘ୍ୟ ଦିଆ ହେବା କଥା । ଭୀଷ୍ମ ଯୁଧିଷ୍ଠିରଙ୍କୁ ଡାକି କହିଲେ, ‘‘ବାବୁ, ସବୁ ରଜାଙ୍କୁ ଗୋଟିଏ ଗୋଟିଏ ଅର୍ଘ୍ୟ ଦିଅ, ଆଉ ଶ୍ରୀକୃଷ୍ଣତ ସମସ୍ତଙ୍କ ଠାରୁ ବଡ଼, ତାଙ୍କୁ ଆଉ ଗୋଟିଏ ଅଧିକା ଦିଅ ।’’ ଭୀଷ୍ମଙ୍କ କଥା ଅନୁସାରେ ଶ୍ରୀକୃଷ୍ଣ ଗୋଟିଏ ଅଧିକା ଅର୍ଘ୍ୟ ପାଇଲେ ।

 

ଚେଦି ଦେଶର ରାଜା ଶିଶୁପାଳ ଶ୍ରୀକୃଷ୍ଣଙ୍କ ପିଉସୀ ପୁଅ ଭାଇ । ସେ ବଳୁଆବୋଲି ଭାରି ଗର୍ବ କରେ । ଶ୍ରୀକୃଷ୍ଣଙ୍କୁ ସେ ବାଳ ପ୍ରମାଣେ ଖାତିରି କରେ ନାହିଁ । ଯେତେବେଳେ ସଭା ଭିତରେ ଶ୍ରୀକୃଷ୍ଣଙ୍କୁ ଯୋଡ଼ିଏ ଅର୍ଘ୍ୟ ଦିଆହେଲା, ଶିଶୁପାଳର ଦେହ ସହିଲା ନାହିଁ । ସେ ସଭାରୁ ଉଠି ତାଙ୍କୁ ଯେଚ୍ଛା ତା’ ଗାଳି ଦେଲା । ଆଉ କେତେ ରଜା ମଧ୍ୟ ତା’ ସାଙ୍ଗେ ମିଶିଲେ । ଶ୍ରୀକୃଷ୍ଣଙ୍କୁ ମାରିବେ ବୋଲି ବାହାରିଲେ । ଶିଶୁପାଳର ବେଶି ଉତ୍ପାତ ଦେଖି କୃଷ୍ଣ ଆଉ ସମ୍ଭାଳି ପାରିଲେ ନାହିଁ-। ସେ ବିଚାରି ଦେଲାରୁ କୁଆଡ଼ୁ ସୁଦର୍ଶନ ଚକ୍ର ଆସି ତାଙ୍କ ହାତରେ ଥୁଆ ହୋଇଗଲା । ସେ ତାକୁ ବୁଲାଇ ବୁଲାଇ ଛାଡ଼ିଦେଲେ । ଶିଶୁପାଳର ମୁଣ୍ଡ ବେକଠୁ ଛିଡ଼ି ତଳେ ପଡ଼ିଗଲା । ସମସ୍ତେ ଭୟରେ କାଠପରି ହୋଇ ଗଲେ । ଆଉ କିଛି ଗୋଳମାଳ ହେଲା ନାହିଁ । ରଜାମାନେ ଯେଝା ରାଜ୍ୟକୁ ଫେରିଗଲେ ।

Image

 

ଶକୁନିର ବୁଦ୍ଧି

 

ଯାଗ ସରିଲାରୁ ସମସ୍ତେ ତ ଯେଝା ଘରକୁ ଗଲେ, ଗହଳି ଭାଜିଲା; ମାତ୍ର ଦୁର୍ଯ୍ୟୋଧନ ପାଣ୍ଡବଙ୍କ ରାଜସଭା ଭଲକରି ଦେଖିବା ପାଇଁ ନଅରରେ ଆଉ କେତେ ଦିନ ରହିଲେ । ସାଙ୍ଗରେ ମାମୁ ଶକୁନି ପରି କପଟୀ ଆଉ ଠକ ଏ ମହୀ ମଣ୍ଡଳରେ କିଏ ନଥିବେ । ଇନ୍ଦ୍ରପୁରୀ ପରି ପାଣ୍ଡବଙ୍କ ସଭା ଦେଖି ଖଳ ଦୁର୍ଯ୍ୟୋଧନଙ୍କ ମନରେ ଭାରି ହିଂସା ହେଲା, ସେ ସେମିତି ଘର କେବେ ଦେଖି ନଥିଲେ । ତାଙ୍କୁ ସବୁ ସ୍ୱପ୍ନ ଦେଖିଲା ପରି ଲାଗିଲା । ଥରେ ସେ କାଚ ବାଡ଼କୁ ଦୁଆର ଭାବି ମେଣ୍ଢେଇ ହୋଇ ମୁହଁଟାମାଡ଼ି ପଡ଼ିଲେ । ଲୋକେ ଠୋ’ ଠୋ’ ହସିଲେ । ଆଉ ଠାଏ ଦି’ଠା ମଧ୍ୟ ଏହିପରି ଲୋକହସା ହେଲେ । ହେଲେ, କାହାକୁ କ’ଣ କହିବେ ? ଯାହାକୁ ମାରିବା ପାଇଁ ସେ ବିଷ ଲଡ଼ୁ ଦେଲେ, ଜଉ ଘର ପୋଡ଼ିଲେ ଶ୍ରୀ ଦେଖି ସେ ସହିବେ କିମିତି ?

 

ମାତ୍ର ଭଣଜା ମନ ଦୁଃଖ କଥା ମାମୁ ଶୁକୁନି ଜାଣିଲା । ହସ୍ତିନା ଗଲାରୁ ସେ ଦୁର୍ଯ୍ୟୋଧନଙ୍କୁ କହିଲା, ‘‘ବାବୁ, ମନ ଦୁଃଖ କରନା । ମୁଁ ଉପାୟ ଜାଣେ । ପଶା ଖେଳରେ ତାଙ୍କୁ ଠକି ଦେବି ।’’

 

ମାମୁ କଥା ଶୁଣି ଦୁର୍ଯ୍ୟୋଧନ ଭାରି ଖୁସି ହେଲେ । କହିଲେ, ‘‘ମାମୁ, ଏ ପାଣ୍ଡବଙ୍କୁ ନ ତଡ଼ିଲେ ମୁଁ ଜୀବନ ଧରି ରହିବି ନାହିଁ ।’’

 

ଶୁକୁନି ଦିନେ ସଜ ଉଣ୍ଡି ଯାଇ ଦୁର୍ଯ୍ୟୋଧନ ମନ ଦୁଃଖ ହେବା କଥା ଧୃତରାଷ୍ଟ୍ରଙ୍କୁ କହିଲା । ପଶା ଖେଳରେ ସେ କିମିତି ପାଣ୍ଡବଙ୍କୁ ହଟାଇ ଦେବ ବୋଲି ବତାଇ ଦେଲା ।

 

ଧୃତରାଷ୍ଟ୍ର ଆଗ ଆଗ ଶିକୁନି କଥାକୁ ରାଜି ହେଉ ନ ଥିଲେ । ଶେଷକୁ ପୁଅ ମନ ଦୁଃଖ କଥା ଶୁଣି ମଙ୍ଗିଲେ । ପଶା ଖେଳ ହେବା ପାଇଁ ଗୋଟେ ଭାରି ବଡ଼ ଘର ତିଆରି ହେଲା ।

 

 

ଯୁଧିଷ୍ଠିର ସବୁ ହାରିଲେ

 

ଦିନେ ଧୃତରାଷ୍ଟ୍ର ବିଦୁରଙ୍କୁ ଡାକି କହିଲେ, ‘‘ପିଲେ କହୁଛନ୍ତି ଯୁଧିଷ୍ଠିର ସାଙ୍ଗେ ପଶା ଖେଳିବେ । ତୁମେ ଯାଇ ତାଙ୍କୁ ଡାକି ଆଣ ।’’

 

ବିଦୁର ମନକୁ ପାପ ଛୁଇଁଲା । ଭାବିଲେ, ଏଥିରେ କିଛି ଅନିଷ୍ଟ କଥା ଅଛି । ଏପରି ଅନ୍ୟାୟ ଖେଳ ନ ଖେଳିବାକୁ ବୁଝାଇ ସେ ଧୃତରାଷ୍ଟ୍ରକୁ ବହୁତ ମନା କଲେ । ମନା ନ ମାନିବାରୁ ବାଧ୍ୟ ହୋଇ ଯୁଧିଷ୍ଠିରଙ୍କ ପାଖକୁ ଗଲେ ।

 

ବିଦୁରଙ୍କ କଥାରୁ ଯୁଧିଷ୍ଠିର ଜାଣିପାରିଲେ ଯେ, କୌରବମାନେ ହିଂସାରେ ଖେଳିବାକୁ ଡାକିଛନ୍ତି । କ୍ଷତ୍ରିୟ ହୋଇ ପଶା ଖେଳିବାକୁ ପଛେଇବା ଧର୍ମ ନୁହେଁ । ତହୁଁ ସେ ଚାରି ଭାଇ, ମାଆ, ଆଉ ଦ୍ରୌପଦୀଙ୍କି ଧରି ହସ୍ତିନା ଗଲେ ।

 

ଖେଳ ଦେଖିବାକୁ ଅନେକ ଲୋକ ଆସି ଜମା ହେଲେ । ଯୁଧିଷ୍ଠିର ପାଖକେ ରହିଲେ । ଦୁର୍ଯ୍ୟୋଧନ କହିଲେ, ‘‘ମୋ’ପାଇଁ ମୋ ମାମୁ ଖେଳିବେ ।’’ ଶକୁନି ମୁରୁକି ହସା ଦେଇ ଦେଇ ଆସି ଆଗରେ ବସିଲା ।

 

ଯୁଧିଷ୍ଠିର ଆଗ ଆପଣା ହାରକୁ ପଣ (ବାଜି) ରଖି ଖେଳିଲେ । ମାତ୍ର ଥରକେ ଶକୁନି ତାହା ଜିଣି ନେଲା । ତା’ପରେ ଧନରତ୍ନ ଭଣ୍ଡାର ପଣ ବସିଲେ । ସେତକ ମଧ୍ୟ ଗଲା । କ୍ରମେ କ୍ରମେ ହାତୀ ଘୋଡ଼ା, ରାଜ୍ୟ, ଦାସ ଦାସୀ ସବୁ ଗଲେ । ଖେଳ ବେଳକୁ ବେଳ ଘମା ଘୋଟ ହୋଇ ଚାଲିଲା । ଯୁଧିଷ୍ଠିର ଏଡ଼େ ଧାର୍ମିକ ହୋଇ ଖେଳ ମୋହ ଛାଡ଼ି ପାରିଲେ ନାହିଁ । ସମ୍ପତ୍ତି ସରିବାରୁ ଜଣ ଜଣ ଭାଇଙ୍କି ପଣ ବସାଇ ହାରିଲେ । ଏ କଥା ଦେଖି କୌରବମାନେ ଖୁସି ହେଉଥାନ୍ତି । ଭୀଷ୍ମ, ଦ୍ରୋଣ, ବିଦୁର ହେରିକା ଲାଜରେ, ଦୁଃଖରେ ମୁଣ୍ଡ ପୋତି ବସି ଥାନ୍ତି ।

 

ଶେଷକୁ ସବୁ ଯେତେବେଳେ ସରିଲା । ଯୁଧିଷ୍ଠିର କହିଲେ, ‘‘ହେଉ ମୁଁ ଦ୍ରୋପଦୀଙ୍କି ପଣ କଲି ।’’ ଏଥର ମଧ୍ୟ ଶକୁନି ଜିଣିଲା । ପାଣ୍ଡବମାନେ କାନ୍ଦ କାନ୍ଦ ହୋଇଗଲେ । ଧନରତ୍ନ ରାଜ୍ୟ ଭାଇ ଭାର୍ଯ୍ୟାଙ୍କୁ ହରାଇ ଯୁଧିଷ୍ଠିର ମୁହଁ ପୋତି ବସିଲେ ।

Image

 

ଦ୍ରୋପଦୀ ଅପମାନ ପାଇଲେ

 

ଏତିକି ବେଳେ ଦୁର୍ଯ୍ୟୋଧନଙ୍କ ପାଳି ପଡ଼ିଲା । ସତେବେଳର କୌରବମାନଙ୍କ ହସ, ଥଟ୍ଟା କଥା କହି ହେବ ନାହିଁ । ଦୁର୍ଯ୍ୟୋଧନ କହିଲେ, ‘‘ଆମେ ଦ୍ରୌପଦୀଙ୍କି ଜିଣିଛୁ, ତାଙ୍କୁ ସଭାକୁ ଆଣ ।’’ ଏହା କହି ସେ ଦି’ଥର ଚାକରକୁ ପଠାଇଲେ । ଶେଷକୁ ଦୁଃଶାସନ ଗଲା । ଦ୍ରୌପଦୀ ନଅର ଭିତରେ ଥିଲେ । ସେ କେଡ଼େ ବିକଳ ହେଲେ, କେତେ କାନ୍ଦିଲେ । କହିଲେ, ‘‘ତୁମ ଧର୍ମ ହେବ, ମତେ ସଭାକୁ ନିଅ ନା’’; ଦୁଃଶାସନ କିଛି ଶୁଣିଲା ନାହିଁ । ଦ୍ରୌପଦୀଙ୍କ ବାଳ ଧରି ଟେକି ଆଣି ସଭାରେ ଠିଆ କରି ଦେଲା ।

 

ଭୀଷ୍ମ, ଦ୍ରୋଣ, ବିଦୁର, ଧୃତରାଷ୍ଟ୍ର ହେରିକା ଗୁରୁଜନମାନେ ସଭାରେ ବସିଥିଲେ । ସେମାନେ ଦୁର୍ଯ୍ୟୋଧନ ଭୟରେ କିଛି କଥା କହିଲେ ନାହିଁ । ମୁହଁ ପୋତି ଦେଲେ ।

 

ଦ୍ରୋପଦୀଙ୍କ ଅପମାନ ଦେଖି ଭୀମ ରାଗରେ ନାଗ ସାପ ପରି ଫଁ ଫଁ ହୋଇ କହିଲେ, ‘‘ଜାଣ ସମସ୍ତେ, ମୁଁ ପ୍ରତିଜ୍ଞା କଲି, ଦୁଃଶାସନର ବୁକୁ ଚିରି ରକ୍ତ ପିଇବି; ଏହା ନ କଲେ ମୋ ନାଁ ଭୀମ ନୁହେଁ ।’’

 

ଏକଥା ଶୁଣି କର୍ଣ୍ଣ ଦୁର୍ଯ୍ୟୋଧନ ଥଟା କରି ହସିଲେ । ଏତିକିରେ ସେମାନଙ୍କ ମନ ବୋଧ ହେଲା ନାହିଁ । ସଭାରେ ଗୁରୁଜନମାନେ ବସିଥିଲେ; ଦୁଷ୍ଟ ଦୁଃଶାସନ କର୍ଣ୍ଣ କଥାରେ ପଡ଼ି ଦ୍ରୌପଦୀଙ୍କି ଲଙ୍ଗଳା କରି ତାଙ୍କ ଲୁଗା ଖଣ୍ଡକ କାଢ଼ି ନେବ ବୋଲି ବସିଲା । ଦୁର୍ଯ୍ୟୋଧନ ଏ କଥା ଦେଖି ହସୁଥାନ୍ତି । ତାଙ୍କୁ ସୁଖ ଲାଗୁ ଥାଏ । ଭୀଷ୍ମ, ଦ୍ରୋଣ, ବିଦୁର ମୁହଁରେ ଲୁଗା ଦେଇ ବସିଲେ । ଦ୍ରୋପଦୀ ବିକଳରେ ଭଗବାନଙ୍କୁ ଡାକୁଥାନ୍ତି । ଦୟାମୟ ଭଗବାନ ଦୁଃଖିନୀ ଗୁହାରୀ ଶୁଣିଲେ । ଦୁଃଶା ତାଙ୍କ ଦେହରୁ ଖଣ୍ଡେ ଲୁଗା କାଢ଼ିଲାରୁ ଆଉ ଖଣ୍ଡେ ଦିଶିଲା । ସେ ଖଣ୍ଡି ଭିଡ଼ିଲାରୁ ତା’ ତଳେ ଆଉ ଖଣ୍ଡେ । ସେ ଯେତିକି ଭିଡ଼ିଲା ତା’ ତଳକୁ ତା’ ତଳକୁ ଆଉରି ଆଉରି ବାହାରିଲା ।

 

ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଲୁଗା ଭିଡ଼ି ଭିଡ଼ି ଦୁଃଶାସନ ହାଲିଆ ହୋଇ ରହିଗଲା । ତେବେକେ ହେଲେ ଦୁର୍ଯ୍ୟୋଧନଙ୍କୁ ଭଲ ବୁଦ୍ଧି ଦିଶିଲା ନାହିଁ । ସେ ବାଁ ଜଙ୍ଘରୁ ଲୁଗା କାଢ଼ି ଦ୍ରୌପଦୀଙ୍କି ବସିବାକୁ ଡାକିଲା । ଭୀମ ଆଉ ସହି ପାରିଲେ ନାହିଁ । ମେଘ ଘଡ଼ଘଡ଼ି ପରି ପାଟିକରି କହିଲେ, ‘‘ଗଦାରେ ପିଟି ତୋର ସେଇ ବାଁ ଜଙ୍ଘ ଭାଙ୍ଗିଲେ ମୋ ରାଗ ଯିବ, ଦୁର୍ଯ୍ୟୋଧନ-।’’ ଏ କଥା ଶୁଣି ସମସ୍ତଙ୍କ ମନରେ ଭୟ ହୋଇଗଲା । ଗଛରେ ପେଚା ବୋବେଇଲେ, ବିଲରେ ବିଲୁଆ ଡାକିଲେ, ସମସ୍ତେ ବିଚାରିଲେ କୁରୁ ବଂଶକୁ ନିଶ୍ଚୟ ଅଧର୍ମ ଘୋଟି ଆସିଲା ।

 

ବୁଢ଼ା ଧୃତରାଷ୍ଟ୍ର ସଭାରେ ତୁନି ହୋଇ ବସି ସବୁ ଶୁଣୁଥିଲେ । ସେ ଥାଇ ତାଙ୍କ ପୁଅମାନେ ଏତେ ଏତେ ଅପକର୍ମ କରୁଚନ୍ତି ବୋଲି ସମସ୍ତେ ତାଙ୍କୁ ନିନ୍ଦା କରିବାରୁ ସେ ଦ୍ରୌପଦୀଙ୍କି ଡାକି କହିଲେ, ‘‘ମା’, ଯାହା ତ ହେବାର ହେଲାଣି । ଏବେ ସେ ସବୁ କଥା ମନରୁ ପାଶୋର । ତୁମର କ’ଣ ଲୋଡ଼ା କହ-।’’

 

ଦ୍ରୌପଦୀ କହିଲେ, ‘‘ଯେବେ ତୁମର ଦୟା ହେଉଚି, ମୋ ସ୍ୱାମୀମାନଙ୍କୁ ଅସ୍ତ୍ର ଶସ୍ତ୍ର ଫେରାଇ ଦେଇ ଛାଡ଼ି ଦିଅ ।’’ ଧୃତରାଷ୍ଟ୍ର ଏଥିକି ହଁ କଲେ । ତା’ପରେ ଯୁଧିଷ୍ଠିରଙ୍କୁ ଡାକି କହିଲେ, ‘‘ବାବୁ, ତୁମେ ମୋ କୁଳର ବଡ଼ ପୁଅ । ଗଲା କଥା ଛାଡ଼ । ଏବେ ତୁମ ରାଜ୍ୟ ନେଇ ସୁଖରେ ରହ-।’’

 

ଏ କଥା ଶୁଣି ପାଣ୍ଡବମାନେ ତାଙ୍କୁ ନମସ୍କାର କରି ବିଦାୟ ନେଇ ଆସିଲେ ।

Image

 

ପାଣ୍ଡବମାନେ ବନବାସ କଲେ

 

ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ରାଜ୍ୟ ସମ୍ପତ୍ତି ଫେରାଇ ଦେବାରୁ ଦୁର୍ଯ୍ୟୋଧନଙ୍କ ମନରେ ଭାରି ରାଗ ହେଲା । ସେମାନେ କେତେ କଷ୍ଟରେ ତାଙ୍କୁ ଜିଣିଥିଲେ । ଦୁର୍ଯ୍ୟୋଧନ, କର୍ଣ୍ଣ ସାଙ୍ଗହୋଇ ପୁଣି ବୁଢ଼ାକୁ ମତାଇଲେ । ଧୃତରାଷ୍ଟ୍ର ତାଙ୍କ ବୋଲରେ ପଡ଼ି ଆଉଥରେ ପଶା ଖେଳିବା ପାଇଁ ପାଣ୍ଡବମାନଙ୍କୁ ଡକାଇ ଆଣିଲେ । ଭୀଷ୍ମ, ଦ୍ରୋଣ ପ୍ରଭୃତି ଏ ସବୁ କଥା ଶୁଣି କୁଳକୁ ଅଧର୍ମ ଘୋଟିଲା ବୋଲି ଜାଣୁଥାନ୍ତି ।

 

ପଶା ଖେଳିବାକୁ ଡାକିଲେ କ୍ଷତ୍ରିୟମାନେ ନାହିଁ କରିବେ ନାହିଁ । ନାହିଁ କରିବା ତାଙ୍କ ଅଧର୍ମ । ଯୁଧିଷ୍ଠିର ଖେଳିବାକୁ ଆସିଲେ । ଏଥର କଥା ହେଲା, ଯେ ହାରିବ ସେ ତେର ବର୍ଷ ବନବାସ କରିବ, ଏହି ତେର ବର୍ଷ ଭିତରୁ ଶେଷ ବର୍ଷକ ଲୁଚି କରି ରହିବାକୁ ହେବ । ସେ ବର୍ଷ ଧରା ପଡ଼ିଲେ ଆଉ ବାର ବର୍ଷ ବନବାସ କରିବାକୁ ହେବ ।

ଯୁଧିଷ୍ଠିର ଶକୁନିର ଛନ୍ଦ କପଟରେ ପଶି ପାରିବା ଲୋକ ନୁହନ୍ତି । ଖେଳି ବସିଲେ । ଏଥର ମଧ୍ୟ ହାରିଲେ । ପଞ୍ଚ ପାଣ୍ଡବ ଆଉ ଦ୍ରୋପଦୀ ବଣକୁ ଯିବା କଥା ହେଲା । ସେ ସମସ୍ତେ ଯାଇ ଭୀଷ୍ମ, ଦ୍ରୋଣ, ବିଦୁରଙ୍କ ପାଖରୁ କାନ୍ଦି କାନ୍ଦି ବିଦାୟ ନେଇ ଆସିଲେ । ବିଦୁରଙ୍କ କଥା ମାନି ସେମାନେ ମାଆ କୁନ୍ତୀଙ୍କି ତାଙ୍କ ଘରେ ରଖାଇ ଦେଲେ । ପାଞ୍ଚ ଭାଇଯାକ ଜଟା ବକଳ ପିନ୍ଧି ଦ୍ରୋପଦୀଙ୍କି ଧରି ତେର ବର୍ଷ ପାଇଁ ରାଜ୍ୟ ଛାଡ଼ି ବଣରେ ପଶିଲେ । ପୁରୋହିତ ଧୌମ୍ୟ ସାଙ୍ଗରେ ଯାଇଥିଲେ । ଅନେକ ବ୍ରାହ୍ମଣ, ସାଧୁ ସନ୍ନ୍ୟାସୀ ରାଜ୍ୟରୁ ଧର୍ମ ଛାଡ଼ିଗଲା ବୋଲି ତାଙ୍କ ସାଙ୍ଗେ ସାଙ୍ଗେ ବଣକୁ ଗଲେ ।

ବଣରେ ଏତେ ଲୋକଙ୍କୁ ଖାଇବା ପିଇବାକୁ ଦେବା ବଡ଼ କଷ୍ଟ । ଯୁଧିଷ୍ଠିର ସେଠୁ ସୂର୍ଯ୍ୟଙ୍କୁ ପୂଜା କଲେ । ସୂର୍ଯ୍ୟ ଦେବତା ଖୁସି ହୋଇ ତାଙ୍କୁ ଗୋଟିଏ ଥାଳି ଦେଇ କହିଲେ, ‘‘ଏ ଥାଳିଟି ରଖ । ବାର ବର୍ଷ ପର୍ଯ୍ୟନ୍ତ ସବୁ ଦିନ ଦୌପଦୀ ନ ଖାଇଲା ଯାଏଁ ସେ ଯାହା ବିଚାରିବେ ଏ ଥାଳିରୁ ଖିରି, ପିଠା, ଖେଚଡ଼ି ସବୁ ବାହାରିବ । ସେ ଖାଇ ସାରିଲେ ସେ ଦିନ ଆଉ ବାହାରିବ ନାହିଁ-।’’

Image

 

ବନ୍ଧୁ ସଙ୍ଖୋଳା

 

ପାଣ୍ଡବମାନେ ପ୍ରଥମେ ଯାଇ କାମ୍ୟକ ବନରେ ରହିଲେ । ଏଣେ ହସ୍ତିନାରେ କୌରବମାନେ ଖୁସିରେ ଥାନ୍ତି । ଥରେ ବିଦୁର ପାଣ୍ଡବଙ୍କ ପକ୍ଷରେ ରହି କ’ଣ ଭଲ କଥା କହିଲେ ବୋଲି ସେମାନେ ତାଙ୍କୁ ରାଜ୍ୟରୁ ତଡ଼ି ଦେଇଥିଲେ । ବିଦୁର କାମ୍ୟକ ବନକୁ ଯାଇ ପାଣ୍ଡବଙ୍କ ସାଙ୍ଗେ ଦେଖା କଲେ । ଆଉ ଥରେ ଦୁର୍ଯ୍ୟୋଧନ, କର୍ଣ୍ଣ ବିଚାର କରି ପାଣ୍ଡବମାନଙ୍କୁ ବଣରେ ମାରିଦେବେ ବୋଲି ସୈନ୍ୟସାମନ୍ତ ଧରି ବାହାରିଥିଲେ । ବ୍ୟାସଦେବ ଏ କଥା ଜାଣି ବାଟରୁ ତାଙ୍କୁ ବାହୁଡ଼ାଇ ଆଣିଲେ ।

 

ପାଣ୍ଡବଙ୍କୁ ଦେଖିବା ପାଇଁ ଶ୍ରୀକୃଷ୍ଣ ଆଉ ଧ୍ରୁଷ୍ଟଦ୍ୟୁମ୍ନ କାମ୍ୟକ ବନକୁ ଯାଇଥିଲେ । ଏମାନେ କିଛି ଦିନ ତାଙ୍କ ପାଖେ ରହିଲେ । କହିଲେ ଯେ, ‘ଯୁଦ୍ଧରେ କୌରବମାନଙ୍କୁ ମାରି ପାଣ୍ଡବଙ୍କୁ ମୁଲକରେ ରଜା କରାଇବେ ।’

 

ବଣରେ ଥିଲାବେଳେ ନିତି ଅନେକ ମୁନି ଋଷି ମଧ୍ୟ ପାଣ୍ଡବଙ୍କ ପାଖକୁ ଯା’ନ୍ତି । ପାଣ୍ଡବମାନେ ଭଲ ଲୋକ । ସବୁବେଳେ ଧର୍ମ କଥାରେ ଦିନ କାଟୁ ଥାନ୍ତି । ରଜାଘର ସୁଖ ବଣରେ ନ ଥିଲେ ସୁଦ୍ଧା ସାଧୁ ସନ୍ଥଙ୍କ ସଙ୍ଗେ ସୁଖରେ ଦିନ ବହି ଯାଉଥାଏ ।

Image

 

ଅର୍ଜୁନ ମହାଦେବଙ୍କଠାରୁ ବର ପାଇଲେ

 

ଦିନେ ବ୍ୟାସଦେବ ପାଣ୍ଡବମାନଙ୍କୁ ଦେଖିବାକୁ ଯାଇଥିଲେ । ସେମାନେ ଧର୍ମରେ ରହି ଏତେ କଷ୍ଟ ସହୁଚନ୍ତି ଦେଖି, ତାଙ୍କୁ କଷ୍ଟ ଲାଗିଲା । ସେ ଆଶୀର୍ବାଦ କଲେ, ‘‘ଆଗକୁ ତୁମର ଜୟ ହେବ, କୌରବମାନଙ୍କର ଅମଙ୍ଗଳ ହେବ ।’’ ଏହା କହି ଯୁଧିଷ୍ଠିରଙ୍କୁ ଗୋଟିଏ ବିଦ୍ୟା ଶିଖାଇଲେ । ସେହି ବିଦ୍ୟାଟି ନାଁ ‘ପ୍ରତିସ୍ମୃତି’ ବିଦ୍ୟା । କହିଲେ, ‘‘ଏହି ବିଦ୍ୟାଟି ତୁମେ ଅର୍ଜୁନଙ୍କୁ ଶିଖାଇବ ଯେ ସେ ଏଥିରେ ଶିବ, ଇନ୍ଦ୍ର, ବରୁଣ ପ୍ରଭୃତି ଦେବତାମାନଙ୍କୁ ତୁଷ୍ଟ କରି ଭଲ ଭଲ ଅସ୍ତ୍ର ଶସ୍ତ୍ର ପାଇପାରିବେ-।’’ ଏହା କହି ସେ ଚାଲିଗଲେ ।

 

ଅର୍ଜୁନ ଭାଇଙ୍କ ଠାରୁ ପ୍ରତିସ୍ମୃତି ବିଦ୍ୟା ଶିଖି ତପସ୍ୟା କରିବାକୁ ବଣକୁ ଗଲେ । ବାଟରେ ଇନ୍ଦ୍ରଙ୍କ ସଙ୍ଗେ ତାଙ୍କର ଦେଖାହେଲା । ପରେ ସେ ଶିବଙ୍କୁ ପାଇବା ପାଇଁ ହିମାଳୟକୁ ଯାଇ ଘୋର ତପସ୍ୟା କଲେ । ସେ ଯେପରି ତପସ୍ୟା କଲେ, ଋଷିମାନେ ଭୟ କରିଗଲେ । ତାଙ୍କ ଦେହରୁ ତେଜ ବାହାରି ବଣଯାକ ଆଲୁଅ କରିଦେଲା ।

 

ଶେଷକୁ ମହାଦେବ ସନ୍ତୁଷ୍ଟ ହୋଇ ଶବର ବେଶରେ ପାର୍ବତୀଙ୍କି ସାଙ୍ଗରେ ଧରି ଅର୍ଜୁନଙ୍କ ପାଖେ ପହଞ୍ଚିଲେ । ସେ ଅର୍ଜୁନଙ୍କ ମନ ବିଡ଼ିବାକୁ ଯାଇଥିଲେ । ସେତିକି ବେଳକୁ ଗୋଟେ ବରାହ ଅର୍ଜୁନଙ୍କୁ ମାରିବାକୁ ଆସୁଥିଲା । ଅର୍ଜୁନ ତାକୁ ଶର ମାରିଲା ବେଳକୁ ଶବର ଧନୁ ଶର ଧରି ମାରିଲେ । ବରାହକୁ କିଏ ଆଗ ମାରିଲା ବୋଲି ଶବର ଆଉ ଅର୍ଜୁନଙ୍କ ଭିତରେ କଳି ଲାଗିଲା । କଳିରୁ ଦୁହେଁ ମରାମରି ହେଲେ । ଘୋର ଯୁଦ୍ଧ ହେଲା । ଅର୍ଜୁନଙ୍କର ସବୁ ବଳ କୌଶଳ ଗଲା, ସବୁ ଶର ସରିଗଲା । ଶେଷକୁ ତଳେ ଏକ ଶିବ ମୂର୍ତ୍ତି ତିଆରି କରି ତାକୁ ପୂଜା କଲେ । ଦେଖିଲେ, ସେ ଯିମିତି ଫୁଳମାଳ ଶିବ ମୂର୍ତ୍ତି ଉପରେ ପକାଇଚନ୍ତି ସେ ମାଳ ଯାଇ ଶବର ବେକରେ ପଡ଼ିଗଲା । ସେ ଜାଣି ପାରିଲେ ଯେ, ଏ ନିଶ୍ଚୟ ମହାଦେବ । ତହୁଁ ତାଙ୍କ ଗୋଡ଼ ତଳେ ସାଷ୍ଟାଙ୍ଗ ହୋଇ ପଡ଼ିଗଲେ । ମହାଦେବ ନିଜ ରୂପ ଦେଖାଇ ତାଙ୍କୁ କୁଣ୍ଢାଇ ପକାଇଲେ ଏବଂ ପାଶୁପତ ବୋଲି ଏକ ଅସ୍ତ୍ର ଦେଲେ ।

 

ଏହାପରେ ଇନ୍ଦ୍ର ଆସି ଅର୍ଜୁନଙ୍କୁ ସ୍ୱର୍ଗକୁ ଘେନି ଗଲେ । ସେଠାରେ ତାଙ୍କୁ ଭାରି ଆଦରରେ ରଖାଇଲେ । ଭଲ ଭଲ ଅସ୍ତ୍ର ଦେଇ ବିଦାକି ଦେଲେ ।

 

ଅର୍ଜୁନ ଆସିବାରେ ଉଛୁର ହେବାରୁ ଭାଇମାନେ ଦୁଃଖରେ ଥାନ୍ତି । ବେଳେ ବେଳେ ଋଷିମାନେ ଆସି ତାଙ୍କୁ ଅର୍ଜୁନଙ୍କ ଶୁଭ ଖବର ଦିଅନ୍ତି । ଅର୍ଜୁନ ସ୍ୱର୍ଗରେ ଥିବାର ଲୋମଶ ମୁନିଙ୍କ ଠାରୁ ଖବର ପାଇ, ଯୁଧିଷ୍ଠିର ହେରିକା ଭାରତର ସବୁ ତୀର୍ଥ ବୁଲି ଆସିଲେ ।

 

ଏ ଭିତରେ ଥରେ ହନୁମାନ ସାଙ୍ଗେ ଭୀମଙ୍କର ଦେଖା ହୋଇଥିଲା । ହନୁମାନ ପବନ ପୁଅ, ତେଣୁ ସେ ଭୀମଙ୍କ ବଡ଼ ଭାଇ ପରି ।

 

ପାଣ୍ଡବମାନେ ବୁଲି ବୁଲି ଗନ୍ଧମାର୍ଦନ ପର୍ବତରେ ଥିଲା ବେଳେ ଅର୍ଜୁନ ଇନ୍ଦ୍ରଙ୍କ ରଥରେ ବସି ଆସି ସେଠାରେ ପହଞ୍ଚିଲେ । ଭାଇମାନେ ଭାରି ଖୁସି ହେଲେ ।

Image

 

ଦୁର୍ଯ୍ୟୋଧନ ଓ ଜୟଦ୍ରଥ ଅପମାନ ପାଇଲେ

 

ଦିନେ ହସ୍ତିନାରେ କର୍ଣ୍ଣ, ଦୁର୍ଯ୍ୟୋଧନ ବସି ବିଚାର କଲେ, ‘‘ପାଣ୍ଡବମାନେ ତ ତିନି ପାଞ୍ଜିରୁ ଗଲେ, ବଣରେ ଚେରମୂଳ ଖୋଳି ବୁଲୁଥିବେ । ଦିନେ ଚାଲ ଯିବା; ଦେଖିବା ତାଙ୍କ ମଜାଟା ।’’

 

ସେତେବେଳେକୁ ପାଣ୍ଡବମାନେ ଦ୍ୱୈତ ବନର ଏକ ପୋଖରୀ କୂଳରେ ଥାନ୍ତି । ଦୂର୍ଯ୍ୟୋଧନ ଭାଇ ବନ୍ଧୁ ପିଲା କୁଟୁମ୍ବ ଧରି, ହାତୀ, ଘୋଡ଼ା, ସୈନ୍ୟ ସାମନ୍ତ ସଜ କରି ବାହାରିଲେ-। ବାପାଙ୍କୁ କହିଲେ, ‘‘ମୁଁ ଯାଉଚି ଆମ ଗାଈ ଦେଖିବାକୁ ।’’

 

ଏମାନେ ଯାଇ ପାଣ୍ଡବମାନେ ଥିବା ପୋଖରୀ ଆର ପାଖ ହୁଡ଼ାରେ ପହଞ୍ଚିଲେ । ସେତେବେଳକୁ ସ୍ୱର୍ଗରୁ ଗନ୍ଧର୍ବରାଜ ଚିତ୍ରସେନ ପିଲା କୁଟୁମ୍ବ ଧରି ସେ ପୋଖରୀକି ଗାଧୋଇବାକୁ ଆସିଛନ୍ତି । ଗନ୍ଧର୍ବ ସେନାମାନେ ଦୁର୍ଯ୍ୟୋଧନଙ୍କ ଲୋକଙ୍କୁ ପୋଖରୀରେ ପଶିବାକୁ ମନାକଲେ । ସେମାନେ ମନା ଘେନିଲେ ନାହିଁ, ଅଧିକରେ କଳି ଲଗାଇଲେ । ଚାହୁଁ ଚାହୁଁ ଦୁଇ ଦଳ ଭିତରେ କଳି ଲାଗିଲା । ଦୁର୍ଯ୍ୟୋଧନଙ୍କର ଅନେକ ସୈନ୍ୟ ମଲେ, କର୍ଣ୍ଣ ହେରିକା ପ୍ରାଣ ଭୟରେ ପଳେଇଲେ । ଚିତ୍ରସେନ ଦୁର୍ଯ୍ୟୋଧନ ପ୍ରଭୃତିଙ୍କି ବାନ୍ଧି ନେଇଗଲେ ।

 

ଏ କଥା ପାଣ୍ଡବଙ୍କ କାନକୁ ଗଲା । ଭୀମ ମନେ ମନେ ମହା ଆନନ୍ଦ । ମାତ୍ର ଯୁଧିଷ୍ଠିର ଦୁଃଖ କରି ଅର୍ଜୁନଙ୍କୁ ପଠାଇଲେ, ‘‘ଯାଅ ଅର୍ଜୁନ, ଦୁର୍ଯ୍ୟୋଧନଙ୍କୁ ରକ୍ଷା କର ।’’

 

ଅର୍ଜୁନ ଗଲେ, ଗନ୍ଧର୍ବଙ୍କ ସାଙ୍ଗେ ଯୁଦ୍ଧ କଲେ । ସେ ସ୍ୱର୍ଗରେ ଥିଲାବେଳେ ଚିତ୍ରସେନଙ୍କ ସାଙ୍ଗେ ତାଙ୍କର ଭଲ ଚିହ୍ନା ହୋଇଥିଲା । ସେ ତାଙ୍କୁ କହି ପୋଛି ଦୁର୍ଯ୍ୟୋଧନ ହେରିକାଙ୍କୁ ଖଲାସ କରିଦେଲେ । ଦୁର୍ଯ୍ୟୋଧନ ଏଡ଼ିକି ମୁହଁଟିଏ କରି ଚୋରଙ୍କ ପରି ଘରକୁ ଫେରିଗଲେ ।

 

ସିନ୍ଧୁ ଦେଶର ରାଜା ଜୟଦ୍ରଥ ଦୁର୍ଯ୍ୟୋଧନଙ୍କ ଭିଣୋଇ । ସେ ଦିନେ କାମ୍ୟକ ବନ ବାଟେ ଯାଉ ଯାଉ ଦୌପଦୀଙ୍କି ଏକୁଟିଆ ଦେଖିଲେ । ପାଣ୍ଡବଙ୍କୁ ଅପମାନ ଦେବା ପାଇଁ ଦୌପଦୀଙ୍କି ରଥରେ ବସାଇ ଘେନିଗଲେ । ପାଣ୍ଡବମାନେ ଏ କଥା ଜାଣି ପଛରେ ଗୋଡ଼େଇ ତାକୁ ଧରିଲେ । ଭୀମ ତାଙ୍କୁ ଚୁଟି ଘୋସାରି ନିର୍ଧୁମ ବିଧା, ଗୋଇଠା, ଚାପୁଡ଼ା ମାରିଲେ । ଶେଷକୁ ଘୋସାରି ଆଣି ଯୁଧିଷ୍ଠିରଙ୍କ ପାଖେ ପକାଇଲେ । ଯୁଧିଷ୍ଠିର ଦୟାକରି ତାଙ୍କୁ ଛାଡ଼ି ଦେଲେ । ଶଳା ଭିଣୋଇ ଦୁହେଁ ଏହିପରି ଅପମାନ ପାଇ କାନ ମୁଣ୍ଡ ଆଉଁସି ଗଲେ ।

Image

 

କର୍ଣ୍ଣଙ୍କର ବଳ କମି ଗଲା

 

ଜନ୍ମବେଳକୁ କର୍ଣ୍ଣଙ୍କ କାନରେ ଯୋଡ଼ିଏ କୁଣ୍ଡଳ ଓ ଦେହରେ ଗୋଟିଏ କବଚ ଥାଏ । ସେ କୁଣ୍ଡଳର ଗୁଣ ହେଉଚି ଯେ, ତାହା ଥିଲେ କର୍ଣ୍ଣକୁ କିଏ ମାରି ପାରିବେନାହିଁ, ଆଉ କବଚର ଗୁଣ ହେଉଚି, ସେଥିରେ ଶରମୁନ ଭେଦିବ ନାହିଁ ।

Image